ଫର୍ମୁଲା ୱାନ୍
Highest governing body | ଏଫ୍. ଆଇ. ଏ. (ଅନ୍ତର୍ଜାତୀୟ ଅଟୋମୋବାଇଲ୍ ମହାସଂଘ) |
---|---|
First played | ୧୯୫୦ |
Characteristics | |
Team members | ୧୦ ମୋଟର ଇଞ୍ଜିନ୍ ନିର୍ମାତାଙ୍କ ଦଳ (ପ୍ରତି ଦଳ ପକ୍ଷରୁ ଦୁଇଟି ଲେଖାଏଁ (ସର୍ବମୋଟ ୨୦) ଚାଳକ) |
Categorization | ଚାଳକମାନଙ୍କ ମଧ୍ୟରେ ପ୍ରତିଯୋଗିତା, ଇଞ୍ଜିନ୍ ନିର୍ମାତାମାନଙ୍କ ମଧ୍ୟରେ ପ୍ରତିଯୋଗିତା |
Venue | ପରିକ୍ରମଣ ସଡ଼କ (ରେସିଂ ସର୍କିଟ୍) |
ଫର୍ମୁଲା ୱାନ୍ ବା ଫର୍ମୁଲା-୧ (ଇଂରାଜୀରେ Formula One ବା Formula 1 ବା F1,ଇଂରାଜୀ ଉଚ୍ଚାରଣ ଫୋର୍ମ୍ୟୁଲା ୱନ୍) ବିଶ୍ୱର ସର୍ବୋତ୍କୃଷ୍ଟ ଓ ବ୍ୟୟବହୁଳ ମୋଟର ଦୌଡ଼ ପ୍ରତିଯୋଗିତା । ଦୌଡ଼ରେ ଭାଗ ନେଉଥିବା ଏହି ଖୋଲା ଚାରି-ଚକିଆ ମୋଟର ଗାଡ଼ିଗୁଡ଼ିକରେ ଜଣେ ଚାଳକ ବସିପାରୁଥିବା ଭଳି ବ୍ୟବସ୍ଥା ଥାଏ ଓ ଏମାନେ ଅତି ଦ୍ରୁତ ବେଗରେ ଗତି କରନ୍ତି । ଅନ୍ତର୍ଜାତୀୟ ଅଟୋମୋବାଇଲ୍ ମହାସଂଘ (Fédération Internationale de l'Automobile – FIA) ଏହି ଦୌଡ଼ ପ୍ରତିଯୋଗିତାର ନିୟମ ପ୍ରଣୟନ, ସଞ୍ଚାଳନ ଓ ନିୟନ୍ତ୍ରଣ କରିଥାଏ । ୧୯୫୦ ମସିହାରେ ପ୍ରଥମେ ଏହି ମୋଟର ଦୌଡ଼ ଆୟୋଜିତ ହୋଇଥିଲା ଏବଂ ତାହା ପରଠାରୁ ଏହି ପ୍ରତିଯୋଗିତାକୁ ଉଚ୍ଚତମ ମାନର ମୋଟର ଦୌଡ଼ ପ୍ରତିଯୋଗିତା ଭାବେ ବିବେଚନା କରାଯାଇଥାଏ । ଅନ୍ତର୍ଜାତୀୟ ଅଟୋମୋବାଇଲ୍ ମହାସଂଘଦ୍ୱାରା ପ୍ରଣିତ ନିୟମାବଳୀକୁ ଫର୍ମୁଲା (ଯାହା ସବୁ ନିର୍ମାତା ଓ ଚାଳକ ମାନିବାକୁ ବାଧ୍ୟ) ଏବଂ ମାନରେ ଉତ୍କୃଷ୍ଟତା ପାଇଁ କ୍ରମାଙ୍କ ୧କୁ ମିଶାଇ ଏହି ମୋଟର ଦୌଡ଼କୁ ଫର୍ମୁଲା-୧ ବୋଲି କୁହାଯାଇଥାଏ ।[୧] ପ୍ରତିବର୍ଷ ହେଉଥିବା ମୋଟର ଦୌଡ଼ ପ୍ରତିଯୋଗିତାକୁ “ଫର୍ମୁଲା-୧ କ୍ରୀଡ଼ାବର୍ଷ” ବା “ଫର୍ମୁଲା-୧ ସିଜନ୍” ବୋଲି କୁହାଯାଏ । ଗୋଟିଏ କ୍ରୀଡ଼ାବର୍ଷରେ ଅନେକ ଦେଶରେ ଗୋଟିଏ ଲେଖାଏଁ ମୋଟର ଦୌଡ଼ ଅନୁଷ୍ଠିତ ହୁଏ ଯାହାକୁ ଗ୍ରାଁ-ପ୍ରି (ଇଂରାଜୀରେ Grands Prix) ବୋଲି କୁହାଯାଏ । ଏହି ଦୌଡ଼ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଦୌଡ଼ ପରିକ୍ରମଣ ସଡ଼କ (ରେସିଂ ସର୍କିଟ୍) କିମ୍ବା କିଛି ଦେଶରେ ସାଧାରଣ ଯାତାୟତ ପାଇଁ ଉଦ୍ଦୀଷ୍ଟ ସଡ଼କ ବ୍ୟବହୃତ ହୋଇଥାଏ ।
ପ୍ରତିଟି ଦୌଡ଼ରେ ଚାଳକ ଓ ଇଞ୍ଜିନ୍ ନିର୍ମାତାଙ୍କ ଗାଡ଼ି କେଉଁ ସ୍ଥାନରେ ରହିଲା – ତାହାକୁ ଭିତ୍ତି କରି ପଏଣ୍ଟ୍ ପ୍ରଦାନ କରାଯାଏ । କ୍ରୀଡ଼ାବର୍ଷ ଶେଷରେ ସର୍ବାଧିକ ପଏଣ୍ଟ୍ ହାସଲ କରିଥିବା ଗାଡ଼ି ଚାଳକ ଓ ଗାଡ଼ି ନିର୍ମାତାଙ୍କୁ ବିଜେତା ଘୋଷିତ କରାଯାଏ । ପ୍ରତି କ୍ରୀଡ଼ାବର୍ଷରେ ଏହିପରି ଦୁଇଟି ବାର୍ଷିକ ବିଜେତା ପୁରସ୍କାର ପ୍ରଦାନ କରାଯାଏ । ପ୍ରତିଟି ଦୌଡ଼ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଗାଡ଼ି ଚାଳକଙ୍କୁ ସେହି ଦୌଡ଼ ଶେଷରେ ସମ୍ମାନିତ କରାଯାଏ । ପ୍ରତି ଗାଡ଼ି ଚାଳକଙ୍କ ପାଖରେ ମହାସଂଘ ପ୍ରଦତ୍ତ ଓ ବୈଧ ବିଶେଷ ଅନୁମତି ପତ୍ର (ଏଫ୍. ଆଇ. ଏ. ସୁପର୍ ଲାଇସେନ୍ସ) ରହିବା ଅନିବାର୍ଯ୍ୟ ।[୨] ଯେଉଁ ସବୁ ଦୌଡ଼ ସଡ଼କକୁ ମହାସଂଘ ସର୍ବୋତ୍ତମ (୧) ମାନ୍ୟତା ଦେଇଛି, କେବଳ ସେହିଠାରେ ଏହି ପ୍ରତିଯୋଗିତା ସବୁ ଅନୁଷ୍ଠିତ ହୁଏ ।[୨] ଅଧିକାଂଶ ଦୌଡ଼ ସଡ଼କ ଜନବସତିରୁ ଦୂରରେ ସ୍ୱତନ୍ତ୍ର ଭାବେ ନିର୍ମିତ, କିନ୍ତୁ ଆଉ କିଛି ନଗର ମଧ୍ୟରେ ଅବସ୍ଥିତ ।
ଫର୍ମୁଲା-୧ ଗାଡ଼ି ବା କାର୍ ବିଶ୍ୱର ଦ୍ରୁତତମ ଦୌଡ଼ ଗାଡ଼ି । ବାୟୁଗତି ବିଜ୍ଞାନର ଉପଯୋଗ ଯୋଗୁଁ ଏହି ସବୁ ଗାଡ଼ିର ଗଠନ ଶୈଳୀ ସାଧାରଣ ଗାଡ଼ିଙ୍କଠାରୁ ଭିନ୍ନ ଓ ଏମାନେ ଅତ୍ୟୁଚ୍ଚ ବେଗ ପ୍ରାପ୍ତ କରିପାରନ୍ତି । ୨୦୧୭ ମସିହାରେ ଫର୍ମୁଲା-୧ ଗାଡ଼ିଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା[୩] ଯାହା ଅନୁସାରେ ଗାଡ଼ିର ଚକ, ଗାଡ଼ିର ସମ୍ମୁଖ ଓ ପଶ୍ଚାତ୍ ଭାଗରେ କିଛି ପରିବର୍ତ୍ତନ କରିବାର ଅନୁମତି ମିଳିଲା ଓ ଗାଡ଼ିମାନଙ୍କ ସର୍ବାଧିକ ବେଗ ପ୍ରାୟ ୩୭୫ କି.ମି. ପ୍ରତି ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରିବାରେ ଏହା ସହାୟକ ହେଲା ।[୪]
ପାରମ୍ପରିକ ଭାବେ ଏହି ମୋଟର ଦୌଡ଼ ମୁଖ୍ୟତଃ ୟୁରୋପରେ ଅନୁଷ୍ଠିତ ହେଉଥିଲା, କିନ୍ତୁ ବର୍ତ୍ତମାନ ସମୟରେ ଏହା ସମଗ୍ର ବିଶ୍ୱରେ ଅନୁଷ୍ଠିତ ହେଉଛି । ୨୦୧୮ କ୍ରୀଡ଼ାବର୍ଷର ୨୧ଟି ଦୌଡ଼ରୁ ୧୧ଟି ଅଣ-ୟୁରୋପୀୟ ଦେଶମାନଙ୍କରେ ଅନୁଷ୍ଠିତ ହୋଇଥିଲା । ଏକ ମଧ୍ୟମ ମାନର ଫର୍ମୁଲା-୧ ଦଳ ପାଇଁ ବାର୍ଷିକ ହାରାହାରି ୧୨ କୋଟି ଆମେରିକୀୟ ଡଲାର୍ ଖର୍ଚ୍ଚ ହୋଇଥାଏ ।[୫] ଅର୍ଥବହୁଳତା ଓ ଲୋକପ୍ରିୟତା କାରଣରୁ ଫର୍ମୁଲା-୧ ମୋଟର ଦୌଡ଼ ବ୍ୟବସାୟର କେନ୍ଦ୍ରସ୍ଥଳ ।
ଇତିହାସ
[ସମ୍ପାଦନା]୧୯୨୦ ଓ ୧୯୩୦ ଦଶନ୍ଧିରେ ୟୁରୋପରେ ଆୟୋଜନ ହେଉଥିବା ଗ୍ରାଁ-ପ୍ରି ମୋଟର ରେସିଂରୁ ଫର୍ମୁଲା ୱାନ୍ ମୋଟର ଦୌଡ଼ର ପ୍ରାରମ୍ଭ ହୋଇଥିଲା । ସମସ୍ତ ପ୍ରତିଯୋଗୀ ମୋଟର ଗାଡ଼ି ଯେଉଁ ନିର୍ଦ୍ଦିଷ୍ଟ ନିୟମାବଳୀକୁ ମାନନ୍ତି, ତାହାକୁ ଫର୍ମୁଲା ବୋଲି କୁହାଯାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୪୬ ମସିହାରେ ନୂତନ ରୂପେ ଫର୍ମୁଲା ୱାନ୍ର ନିୟମାବଳୀ ନିର୍ଦ୍ଧାରଣ କରାଗଲା ଓ ଏକ ସୌଜନ୍ୟମୂଳକ ମୋଟର ଦୌଡ଼ର ଆୟୋଜନ କରାଗଲା । ବିଶ୍ୱଯୁଦ୍ଧ ପୂର୍ବରୁ କିଛି ନିୟମ ନିର୍ଦ୍ଧାରିତ ହୋଇ ସାରିଥିଲେ ହେଁ ଯୁଦ୍ଧ କାରଣରୁ ୧୯୪୭ ମସିହା ପର୍ଯ୍ୟନ୍ତ ପ୍ରତିଯୋଗିତାମୂଳକ ଦୌଡ଼ର ଆୟୋଜନ କରାଯାଇନଥିଲା । ୧୯୫୦ ମସିହାରେ ଯୁକ୍ତରାଜ୍ୟର ସିଲ୍ଭରଷ୍ଟୋନ୍ ରେସିଂ ସର୍କିଟ୍ ପ୍ରଥମ ଥର ପାଇଁ ମୋଟର ଦୌଡ଼ରେ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରିଥିଲା । ୧୯୫୮ ମସିହାରେ ଗାଡ଼ି ନିର୍ମାତା କମ୍ପାନୀମାନଙ୍କ ପ୍ରତିଯୋଗିତା ମଧ୍ୟ ଆରମ୍ଭ କରାଗଲା । ୧୯୬୦ ଓ ୧୯୭୦ ଦଶନ୍ଧିରେ ଦକ୍ଷିଣ ଆଫ୍ରିକା ଓ ଯୁକ୍ତରାଜ୍ୟରେ ଜାତୀୟ ସ୍ତରର ମୋଟର ଦୌଡ଼ ଆୟୋଜିତ ହେଉଥିଲା । ଅଣ-ଚାମ୍ପିୟନ୍ସିପ୍ ପ୍ରତିଯୋଗିତା ବହୁ ବର୍ଷ ପର୍ଯ୍ୟନ୍ତ ଆୟୋଜିତ ହେଉଥିଲା, କିନ୍ତୁ ବ୍ୟୟର ଚାପରେ ୧୯୮୩ ମସିହା ପରେ ଏଗୁଡ଼ିକର ଆୟୋଜନ ବନ୍ଦ ହୋଇଯାଇଥିଲା ।[୬] ୨୦୧୭ ମସିହା ନଭେମ୍ବର ମାସ ୨୬ ତାରିଖରେ ଆବୁଧାବି ନଗରର ୟାସ୍ ମରିନା ସର୍କିଟ୍ଠାରେ ଫର୍ମୁଲା ୱାନ୍ର ନୂତନ ଲୋଗୋ ବିମୋଚିତ ହୋଇଥିଲା । ୧୯୯୩ ମସିହାରୁ ରହିଆସିଥିବା ଫର୍ମୁଲା ୱାନ୍ର ପାରମ୍ପରିକ “ଫ୍ଲାଇଂ ୱାନ୍” ଲୋଗୋର ବ୍ୟବହାର ଏହାପରେ ବନ୍ଦ ହୋଇଯାଇଥିଲା ।[୭]
ପ୍ରତିଯୋଗିତାମୂଳକ ମୋଟର ଦୌଡ଼ର ପୁନରାରମ୍ଭ
[ସମ୍ପାଦନା]ଦ୍ୱିତୀୟ ବିଶ୍ୱଯୁଦ୍ଧର ଯୋଗୁଁ ୧୯୩୯ ମସିହାରୁ ବନ୍ଦ ଥିବା ମୋଟର ଦୌଡ଼ ପୁଣି ୧୯୫୦ ମସିହାରେ ପୁନରାବର୍ତ୍ତନ କରିଥିଲା । ଇଟାଲୀର ଜିସେପୋ ଫାରିନା ନିଜରି ଦଳର ଜୁଆନ୍ ମାନୁଏଲ୍ ଫାଙ୍ଗିଓଙ୍କୁ ହରାଇ ୧୯୫୦ ମସିହାର ବିଶ୍ୱ ବିଜେତା ଚାଳକ ହେବାର ଗୌରବ ଲାଭ କରିଥିଲେ । ଉଭୟ ଚାଳକ ଦୌଡ଼ରେ ଆଲ୍ଫା ରୋମିଓ ଗାଡ଼ି ଚଲାଉଥିଲେ । ତେବେ ଫାଙ୍ଗିଓ ୧୯୫୧ରୁ ନେଇ ୧୯୫୭ ପର୍ଯ୍ୟନ୍ତ ପାଞ୍ଚ ବର୍ଷ କ୍ରମାଗତ ଭାବେ ବିଶ୍ୱ ବିଜେତା ଚାଳକ ହେବାର ଗୌରବ ମଣ୍ଡନ କରିଥିଲେ । ତାଙ୍କର ଏହି କୀର୍ତ୍ତିମାନ ୪୫ ବର୍ଷ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଥିଲା ଯାହାକୁ ପରେ ଜର୍ମାନୀ ଦେଶର ଚାଳକ ମାଇକେଲ୍ ଶୁମାକର୍ ଅତିକ୍ରମ କରିଥିଲେ । ଫାଙ୍ଗିଓଙ୍କ ସମୟରେ ଯୁକ୍ତରାଜ୍ୟ ନାଗରିକ ଷ୍ଟରଲିଂ ମସ୍ ମଧ୍ୟ କଡ଼ା ପ୍ରତିଦ୍ୱନ୍ଦୀ ଥିଲେ କିନ୍ତୁ କେବେ ବି ଦୌଡ଼ ଜିତିପାରିନଥିଲେ ।[୮][୯] ଫର୍ମୁଲା ୱାନ୍ ଦୌଡ଼ର ଆରମ୍ଭ ହେବାର ପ୍ରଥମ ଦଶନ୍ଧିରେ ଫାଙ୍ଗିଓ ଅଧିକାଂଶ ଦୌଡ଼ ଜିତିଥିବାରୁ ତାଙ୍କୁ ଫର୍ମୁଲା ୱାନ୍ର “ଗ୍ରାଣ୍ଡ୍ ମାଷ୍ଟର୍” ବୋଲି କୁହାଯାଏ ।
ସେହି ସମୟରେ ସାଧାରଣ ବାହନ ନିର୍ମାଣକାରୀ କମ୍ପାନୀ ଯଥା – ଆଲ୍ଫା ରୋମିଓ, ଫେରାରି, ମର୍ସେଡିସ୍-ବେଞ୍ଜ୍, ମାସେରାଟି ଦୌଡ଼ରେ ଭାଗ ନେଉଥିଲେ । ପ୍ରଥମ କିଛି ବର୍ଷ ପ୍ରାକ୍-ବିଶ୍ୱଯୁଦ୍ଧର ପତଳା ଚକ ଓ ସାମନାରେ ଇଞ୍ଜିନ୍ ରହିଥିବା ଗାଡ଼ି ଓ ୧୯୫୨-୫୩ ବର୍ଷରେ ଫର୍ମୁଲା -୨ରେ ବ୍ୟବହୃତ କମ୍ ଶକ୍ତିଶାଳୀ ଗାଡ଼ିକୁ ବ୍ୟବହାର କରି ଚାଳକମାନେ ଦୌଡ଼ରେ ଅଂଶଗ୍ରହଣ କରିଥିଲେ ।[୧୦][୧୧] ୧୯୫୪ରେ ଇଞ୍ଜିନ୍ ପାଇଁ ଫର୍ମୁଲା (ବା ନିୟମ) ପ୍ରସ୍ତୁତ ହେବା ପରେ ମର୍ସେଡିସ୍-ବେଞ୍ଜ୍ କମ୍ପାନୀ ଉନ୍ନତ ମାନର ଦୌଡ଼ ମୋଟର ଗାଡ଼ି ନିର୍ମାଣ କରିଥିଲେ । ୧୯୫୫ ମସିହାରେ ଲେ ମନ୍ସରେ ଆୟୋଜିତ ମୋଟର ଦୌଡ଼ରେ ଏକ ଭୟଙ୍କର ଦୁର୍ଘଟଣା ହୋଇଥିଲା ଯାହା ପରେ ମର୍ସେଡିସ୍-ବେଞ୍ଜ୍ କମ୍ପାନୀ ମୋଟର ଦୌଡ଼ରୁ ଓହରି ଯିବାର ନିଷ୍ପତ୍ତି ନେଇଥିଲା ।[୧୨]
ଇଂରେଜ ଗାଡ଼ି ଚାଳକଙ୍କ ଆଧିପତ୍ୟ
[ସମ୍ପାଦନା]ଭାନୱାଲ୍ ମୋଟର କମ୍ପାନୀ ତରଫରୁ ମାଇକ୍ ହଥର୍ଣ୍ଣ ୧୯୫୮ ମସିହାରେ ବିଶ୍ୱ ବିଜେତା ହୋଇଥିଲେ । ଷ୍ଟର୍ଲିଂ ମସ୍ କୌଣସି ବର୍ଷ ବିଜୟଶ୍ରୀ ହାସଲ କରି ନଥିଲେ ହେଁ ଜଣେ ପୋଖତ ଚାଳକ ଭାବେ ପରିଚିତ ଥିଲେ । ୧୯୫୮ରୁ ନେଇ ୧୯୭୪ ମଧ୍ୟରେ ହଥର୍ଣ୍ଣ, ଜିମ୍ କ୍ଲାର୍କ୍, ଜ୍ୟାକି ଷ୍ଟୁଆର୍ଟ୍, ଜନ୍ ସର୍ଟିସ୍ ଓ ଗ୍ରାହାମ୍ ହିଲ୍ଙ୍କ ପରି ଇଂରେଜ ମୋଟର ଚାଳକମାନେ ୯ ବର୍ଷ ବିଶ୍ୱବିଜୟୀ ଚାଳକ ଓ ବ୍ରିଟେନ୍ର ମୋଟର ଗାଡ଼ି କମ୍ପାନୀମାନେ ୧୪ ବର୍ଷ ଶ୍ରେଷ୍ଠ ନିର୍ମାତା ହେବାର ଗୌରବ ଲାଭ କରିଥିଲେ । ଲୋଟସ୍ ନାମକ ବ୍ରିଟିଶ୍ ରେସିଂ ଦଳ ନିଜର ସ୍ୱତନ୍ତ୍ର ଗାଡ଼ି ନିର୍ମାଣ ଶୈଳୀ ପାଇଁ ବହୁ ପରିଚିତ ଥିଲା ଓ ୧୯୬୮ ମସିହାରେ ପ୍ରଥମ ଥର ପାଇଁ ଗାଡ଼ିର ଶରୀରରେ ବିଜ୍ଞାପନ ବହନ କରାଇଥିଲା ।[୧୩]
ମୋଟର ଦୌଡ଼ ଓ ଯୋଜନା
[ସମ୍ପାଦନା]ଏକ ଫର୍ମୁଲା ୱାନ୍ ଗ୍ରାଁ-ପ୍ରି ସପ୍ତାହର ଶୁକ୍ରବାର, ଶନିବାର ଓ ରବିବାର ଦିନ ଅନୁଷ୍ଠିତ ହୁଏ । ଶୁକ୍ରବାର ଦିନ ପ୍ରତି ଦଳକୁ ଦୁଇଟି ଓ ଶନିବାର ଦିନ ଗୋଟିଏ ଅଭ୍ୟାସ ସମୟ ପ୍ରଦାନ କରାଯାଏ । ମୋନାକୋ ସହରରେ ଏହି ଅଭ୍ୟାସ ଶୁକ୍ରବାର ପରିବର୍ତ୍ତେ ଗୁରୁବାର ଦିନ ହୋଇଥାଏ, ଯାହା ଏକ ବ୍ୟତିକ୍ରମ । ପ୍ରତି ଫର୍ମୁଲା ୱାନ୍ ଦଳରେ ଜଣେ ଅତିରିକ୍ତ ଚାଳକ ମଧ୍ୟ ରହିଥାନ୍ତି ଯେଉଁମାନେ କେବଳ ଶୁକ୍ରବାର ଦିନ ଅଭ୍ୟାସ କରିପାରିବେ । କିନ୍ତୁ ଶୁକ୍ରବାରରେ କେବଳ ଦୁଇଟି ଗାଡ଼ିକୁ ଅଭ୍ୟାସ ପର୍ଯ୍ୟାୟ ମିଳୁଥିବାରୁ ଦୌଡ଼ର ଦୁଇ ମୁଖ୍ୟ ଚାଳକଙ୍କ ମଧ୍ୟରୁ ଜଣକୁ ଶୁକ୍ରବାର ଦିନ ଅଭ୍ୟାସ କରିବାର ସୁଯୋଗ ମିଳେନାହିଁ । ଶନିବାରର ଶେଷ ଅଭ୍ୟାସ ପରେ ଏକ ଯୋଗ୍ୟତା ନିର୍ଣ୍ଣୟ ପ୍ରତିଯୋଗିତା (ଇଂରାଜୀରେ Qualifying Race) ଅନୁଷ୍ଠିତ ହୁଏ । ଏହି ଯୋଗ୍ୟତା ନିର୍ଣ୍ଣୟ ପର୍ଯ୍ୟାୟରେ ଚାଳକଙ୍କ ପ୍ରଦର୍ଶନ ଅନୁସାରେ ସେମାନେ ରବିବାରର ମୁଖ୍ୟ ଦୌଡ଼ରେ କେଉଁ ସ୍ଥାନରୁ ଦୌଡ଼ ଆରମ୍ଭ କରିବେ ତାହା ନିର୍ଦ୍ଧାରିତ ହୋଇଥାଏ ।[୧୪][୧୫]
ଗାଡ଼ିର ଚକ ସମ୍ବନ୍ଧୀୟ ନିୟମ
[ସମ୍ପାଦନା]୨୦୧୬ ମସିହାରୁ ଲାଗୁ ହୋଇଥିବା ନୂଆ ନିୟମ ଅନୁଯାୟୀ ଇଟାଲୀ ଦେଶର ପିରେଲି କମ୍ପାନୀ ପ୍ରତି ଗ୍ରାଁ-ପ୍ରି ପାଇଁ ସବୁ ଦଳକୁ ତିନି ପ୍ରକାରର ଚକ ଯୋଗାଇ ଦେଇଥାଏ । ପ୍ରତି ଦଳ ନିଜର ଯୋଜନା ଅନୁଯାୟୀ ଏହି ଚକଗୁଡ଼ିକୁ ବ୍ୟବହାର କରିପାରିବେ । ପ୍ରତି ଦୌଡ଼ର ମାସେ ବା ତାହା ପୂର୍ବରୁ କେଉଁ ପ୍ରକାରର ଚକ ଦିଆଯିବ ତାହାର ଘୋଷଣା କରା ଯାଇଥାଏ । ପ୍ରଥମ ପାଞ୍ଚଟି ଦୌଡ଼ ପାଇଁ ପ୍ରତି ଚାଳକଙ୍କ ପାଖରେ ୭ଟି ପ୍ରକାରର ନରମ, ୪ ପ୍ରକାରର ମଧ୍ୟମ ଓ ୨ ପ୍ରକାରର ଶକ୍ତ ଚକ ରହିଥାଏ । ଦୌଡ଼, ଅଭ୍ୟାସ ବା ଯୋଗ୍ୟତା ନିର୍ଣ୍ଣୟ ସମୟରେ ଚକ ନଷ୍ଟ ହୋଇଯାଉଥିଲେ ପିରେଲି ଆହୁରି ଚକ ଯୋଗାଇ ଦିଏ ।[୧୬]
ଯୋଗ୍ୟତା ନିର୍ଣ୍ଣୟ ପର୍ଯ୍ୟାୟ
[ସମ୍ପାଦନା]ଯୋଗ୍ୟତା ନିର୍ଣ୍ଣୟ ଓ ଅଭ୍ୟାସ କିଛି ମାତ୍ରାରେ ଭିନ୍ନ । ଜଣ ଜଣ କରି ଚାଳକମାନେ ଗୋଟିଏ ବା ଦୁଇଟି ଚେଷ୍ଟାରେ ଯେତେ ସମ୍ଭବ କମ୍ ସମୟରେ ଗୋଟିଏ ପରିକ୍ରମା ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତି । ଯେଉଁ ଚାଳକ ସର୍ବନିମ୍ନ ସମୟରେ ଗୋଟିଏ ଘେରା ମାରନ୍ତି, ସେ ମୁଖ୍ୟ ଦୌଡ଼ ଦିନ ପ୍ରଥମ ସ୍ଥାନରୁ ଆରମ୍ଭ କରିଥାନ୍ତି (ଏହାକୁ “ପୋଲ୍ ପୋଜିସନ୍” ବୋଲି କୁହନ୍ତି) । ପ୍ରାୟ ୨୬ଟି ଗାଡ଼ି ମୁଖ୍ୟ ଦୌଡ଼ରେ ଭାଗ ନିଅନ୍ତି । ୧୯୯୦ ଦଶନ୍ଧିରେ ବହୁ ଦଳ ଯୋଗ ଦେଉଥିବାରୁ ନିମ୍ନରେ ରହୁଥିବା ଦଳଙ୍କର ଆଉ ଏକ “ପ୍ରାକ୍-ଯୋଗ୍ୟତା ନିର୍ଣ୍ଣୟ” ଆୟୋଜିତ ହେଉଥିଲା ଓ ସେଥିରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଗାଡ଼ି ମୁଖ୍ୟ ଯୋଗ୍ୟତା ନିର୍ଣ୍ଣୟକୁ ଉତ୍ତୀର୍ଣ୍ଣ ହେଉଥିଲେ । ୨୦୦୦ ମସିହା ପରଠାରୁ ଯୋଗ୍ୟତା ନିର୍ଣ୍ଣୟ ମାପଦଣ୍ଡରେ ଅନେକ ପରିବର୍ତ୍ତନ କରାଗଲା ।
୨୦୦୬ ମସିହାରେ ଯୋଗ୍ୟତା ଲାଭ ପାଇଁ ଲାଗୁ ହୋଇଥିବା ନିୟମ ବର୍ତ୍ତମାନ ପ୍ରଚଳନରେ ରହିଛି । ଏହାକୁ "ନକ୍ ଆଉଟ୍ କ୍ୱାଲିଫାଇଂ" ବୋଲି କୁହାଯାଏ । ଏହା ଅନୁସାରେ ତିନୋଟି ପର୍ଯ୍ୟାୟରେ (Q୧, Q୨ ଓ Q୩) ଯୋଗ୍ୟତା ଲାଭ କରିବାର ବ୍ୟବସ୍ଥା ରହିଛି । ପ୍ରଥମ ପର୍ଯ୍ୟାୟରେ (Q୧) ସମସ୍ତ ଚାଳକ ଗୋଟିଏ ଲେଖାଏଁ ପରିକ୍ରମା କରନ୍ତି ଓ ଯେତେ କମ୍ ସମୟରେ ହୋଇପାରିବ ନିଜ ପରିକ୍ରମଣ ସାରିବାକୁ ଚେଷ୍ଟା କରନ୍ତି । ସବୁଠାରୁ ଅଧିକ ସମୟ ନେଇଥିବା ୫ଟି ଗାଡ଼ି Q୧ ପର୍ଯ୍ୟାୟରେ ନକ୍-ଆଉଟ୍ ହୋଇଥାନ୍ତି । ନେଇଥିବା ସମୟ ଅନୁସାରେ ସେମାନେ ମୁଖ୍ୟ ଦୌଡ଼ରେ ଶେଷ ୫ଟି ସ୍ଥାନରୁ ଦୌଡ଼ ଆରମ୍ଭ କରିବାର ଯୋଗ୍ୟତା ଲାଭ କରନ୍ତି । ଅନ୍ୟ ସମସ୍ତେ Q୨କୁ ଅଗ୍ରସର ହୁଅନ୍ତି । ଏକ ପର୍ଯ୍ୟାୟରେ ଚାଳକମାନେ ଯେତେ ଥର ଚାହିଁବେ ସେତୋଟି ପରିକ୍ରମା କରିପାରିବେ ଓ ସମସ୍ତ ପରିକ୍ରମା ମଧ୍ୟରୁ ଶ୍ରେଷ୍ଠ ପରିକ୍ରମାଟି ଯୋଗ୍ୟତା ପାଇଁ ଗଣାହୁଏ । ଆଗାମୀ ପର୍ଯ୍ୟାୟକୁ ଉନ୍ନୀତ ହେଲେ ପୂର୍ବ ପର୍ଯ୍ୟାୟର ସମୟ ଆଉ ଗଣା ନଯାଇ ନୂତନ ଭାବେ ଗଣନା ଆରମ୍ଭ ହୁଏ ।[୧୭] ବର୍ତ୍ତମାନ ସମୟରେ ସମୁଦାୟ ୨୦ଟି ଗାଡ଼ି ଦୌଡ଼ରେ ଭାଗ ନେଉଛନ୍ତି । Q୧ ପର୍ଯ୍ୟାୟ ୧୮ ମିନିଟ୍ ଲମ୍ବା ଚାଲେ ଓ ଏଥିରେ ଅଧିକ ସମୟ ନେଇଥିବା ୫ଟି ଗାଡ଼ି ଆଗାମୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇପାରନ୍ତି ନାହିଁ । Q୧ର ଦ୍ରୁତତମ ଗାଡ଼ିର ୧୦୭%ରୁ ଅଧିକ ସମୟ ନେଉଥିବା ୫ଟି ଗାଡ଼ି ବାହାରି ଯାଇଥାନ୍ତି । ଆଗାମୀ ପର୍ଯ୍ୟାୟ Q୨ରେ ଅବଶେଷ ୧୫ଟି ଗାଡ଼ି ୧୫ ମିନିଟ୍ ପର୍ଯ୍ୟନ୍ତ ପରିକ୍ରମା କରିପାରିବେ ଓ ସବୁଠାରୁ ଧୀର ୫ଟି ଗାଡ଼ିଙ୍କୁ ଆଗାମୀ ପର୍ଯ୍ୟାୟକୁ ଯିବା ପାଇଁ ଅନୁମତି ମିଳେନାହିଁ । Q୩ ପର୍ଯ୍ୟାୟ ୧୨ ମିନିଟ୍ ଧରି ଚାଲେ ଯେଉଁଥିରେ ବାକି ୧୦ଟି ଗାଡ଼ି ନିଜର ସର୍ବୋତ୍କୃଷ୍ଟ ସମୟ ହାସଲ କରିବାକୁ ଚେଷ୍ଟା କରନ୍ତି ଓ ମୁଖ୍ୟ ଦୌଡ଼ର ପ୍ରଥମ ୧୦ଟି ସ୍ଥାନ ଏହି ପର୍ଯ୍ୟାୟରେ ନିର୍ଣ୍ଣିତ ହୋଇଥାଏ ।
ମୁଖ୍ୟ ଦୌଡ଼
[ସମ୍ପାଦନା]ପୂର୍ବ ଦିନ ହାସଲ କରିଥିବା ନିଜ କ୍ରମାଙ୍କ ଅନୁଯାୟୀ ଗାଡ଼ିମାନେ ମୁଖ୍ୟ ଦୌଡ଼ ଦିନ ନିଜର ନିର୍ଦ୍ଧାରିତ ସ୍ଥାନରେ ଧାଡ଼ିରେ ଛିଡ଼ା ହୁଅନ୍ତି । ପ୍ରଥମେ ଗୋଟିଏ ଅଭ୍ୟାସ ପରିକ୍ରମା (ଇଂରାଜୀରେ Warm-up Lap) ହୁଏ ଯେଉଁଥିରେ କେବଳ ଇଞ୍ଜିନ୍ ଓ ଚକକୁ ଗରମ କରିବା, ପରିକ୍ରମା ପଥକୁ ଆଉ ଥରେ ଟିକିନିଖି କରି ପରଖିନେବା ଓ ଦଳର ସହଯୋଗୀଙ୍କୁ ରାସ୍ତାରୁ ନିଜର ସମସ୍ତ ସାମଗ୍ରୀ ଉଠାଇନେବାକୁ ସମୟ ଦିଆଯାଏ । ଏହି ପରିକ୍ରମାରେ ଆଗରେ ଥିବା ଗାଡ଼ିମାନଙ୍କୁ ଅତିକ୍ରମ କରିବା ମନା ।
ଅଭ୍ୟାସ ପରିକ୍ରମା ପରେ ଗାଡ଼ିମାନେ ନିଜ କ୍ରମାଙ୍କ ସ୍ଥାନରେ ପୁଣି ଛିଡ଼ା ହୁଅନ୍ତି । ସେମାନଙ୍କ ସମ୍ମୁଖରେ ୩ଟି ଧାଡ଼ି ୫ଟି ଲାଲ୍ ଆଲୁଅ ବତୀ ରହିଥାଏ । ପ୍ରତି ଧାଡ଼ି ୧ ସେକେଣ୍ଡ ବ୍ୟବଧାନରେ ଜଳି ସମସ୍ତ ଆଲୁଅ ଲିଭିଗଲେ ଦୌଡ଼ ଆରମ୍ଭ ହୁଏ । କୌଣସି ଗାଡ଼ିର ଇଞ୍ଜିନରେ ତ୍ରୁଟି ଦେଖାଦେଇ ଗାଡ଼ି ସ୍ଥିର ହୋଇ ରହିଗଲେ ତାହାର ଚାଳକ ହାତ ଉଠାଇ ସଙ୍କେତ ଦିଅନ୍ତି । ଏପରି ଅବସ୍ଥାରେ ଖରାପ ଗାଡ଼ିକୁ ବାହାର କରାଯାଏ ଓ ଦୌଡ଼ ପୁଣି ଥରେ ଆରମ୍ଭ ହୁଏ । ଖରାପ ହୋଇଯାଇଥିବା ଗାଡ଼ିର ପଛକୁ ଥିବା ସମସ୍ତ ଗାଡ଼ି ଗୋଟିଏ ଉପର କ୍ରମାଙ୍କୁ ଯାଇ ପୁଣି ଦୌଡ଼ ଆରମ୍ଭ ହୁଏ । ପ୍ରବଳ ବର୍ଷା ଯୋଗୁଁ ରାସ୍ତାର ଅବସ୍ଥା ଭଲ ନଥିଲେ ଏକ ସୁରକ୍ଷା ଗାଡ଼ି (ଇଂରାଜୀରେ Safety Car) ଆଗରେ ରଖି ଦୌଡ଼ ଆରମ୍ଭ ହେଉଥିଲା । ୨୦୧୭ ପରଠାରୁ ଆଉ ଏକ ନିୟମ ଲାଗୁ କରାଯାଇଛି । ମୁଖ୍ୟ ଦୌଡ଼ର ପୁନରାରମ୍ଭ ସବୁବେଳେ ସ୍ଥିରାବସ୍ଥାରୁ ହେବା ଜରୁରୀ । ଆରମ୍ଭ ପୂର୍ବରୁ ଭୀଷଣ ବର୍ଷା ହୋଇ ରାସ୍ତା ଖରାପ ହେଲେ ଗାଡ଼ିମାନେ ଫେରିଆସନ୍ତି ଓ ବର୍ଷା ଛାଡ଼ି ରାସ୍ତା ଶୁଖିବା ପରେ ଦୌଡ଼ ଆରମ୍ଭ ହୁଏ ।[୧୮]
ସାଧାରଣ ପରିସ୍ଥିତିରେ ଯେଉଁ ଗାଡ଼ି କିଛି ନିର୍ଦ୍ଦିଷ୍ଟ ପରିକ୍ରମା ପ୍ରଥମେ ପୂର୍ଣ୍ଣ କରିଥାଏ ତାହାକୁ ବିଜୟୀ ଘୋଷିତ କରାଯାଏ । ଦୌଡ଼ ମଧ୍ୟରେ ବର୍ଷା, ଅନ୍ୟ ପ୍ରାକୃତିକ ବା କୃତ୍ରିମ କାରଣରୁ ବିପଜ୍ଜନକ ଅବସ୍ଥା ସୃଷ୍ଟି ହେଲେ ଦୌଡ଼ର ନିୟନ୍ତ୍ରକ ଲାଲ୍ ପତାକା ଦେଖାଇବାର ଅନୁମତି ଦିଅନ୍ତି ଓ ମୋଟର ଦୌଡ଼ ବନ୍ଦ କରିଦିଆଯାଏ ।
୧୯୫୦ ଦଶନ୍ଧିରେ ସମୁଦାୟ ୩୦୦ରୁ ୬୦୦ କିଲୋମିଟର୍ ଅତିକ୍ରମ କରିବା ପାଇଁ ଯେତୋଟି ପରିକ୍ରମା ଦରକାର ତାହା ପୂର୍ବରୁ ନିର୍ଦ୍ଧାରଣ କରି ଦୌଡ଼ ଆରମ୍ଭ ହେଉଥିଲା । ୧୯୬୬ ମସିହାରେ ଦୌଡ଼ ପାଇଁ ସର୍ବାଧିକ ଅତିକ୍ରାନ୍ତ ପଥ ୪୦୦ କିଲୋମିଟର୍ ଓ ପରେ ୧୯୭୧ ମସିହାରେ ଏହି ଦୂରତାକୁ ୩୨୫ କିଲୋମିଟର୍କୁ କମାଇ ଦିଆଗଲା । ୧୯୮୯ ମସିହାରେ ଦୌଡ଼ର ସର୍ବାଧିକ ଅତିକ୍ରାନ୍ତ ପଥ ୩୦୫ କିଲୋମିଟର୍ ହେବ ବୋଲି ଧାର୍ଯ୍ୟ କରାଗଲା । ସାଧାରଣତଃ ୨ ଘଣ୍ଟା ମଧ୍ୟରେ ଏହି ମୋଟର ଦୌଡ଼ ସମାପ୍ତ ହୁଏ । ମୋନାକୋ ପରି ସ୍ଥାନରେ ସହରର ଯାତାୟତ ସଡ଼କରେ ଦୌଡ଼ ଆୟୋଜନ ହେଉଥିବାରୁ ଦୁଇ ଘଣ୍ଟା ମଧ୍ୟରେ ଖେଳ ସାରିବା ପାଇଁ ଦୌଡ଼ ଦୂରତାକୁ ୩୦୫ କିଲୋମିଟର୍ରୁ କମାଇ ଦିଆଯାଇଥାଏ ।
ଦୌଡ଼ ବେଳେ ଗାଡ଼ିମାନେ ପରସ୍ପରକୁ ଅତିକ୍ରମ କରି ଆଗକୁ ଯାଇ ପାରିବେ । ଯଦି ଏକ ଗାଡ଼ି ଦ୍ରୁତ ବେଗରେ ଗୋଟିଏ ଘେରା ବୁଲିଯାଏ ଓ ତାହା ସମ୍ମୁଖରେ ପୂର୍ବ ଘେରା ପୂର୍ଣ୍ଣ କରିନଥିବା ଏକ ଗାଡ଼ି (ଇଂରାଜୀରେ Back Marker) ଆସେ, ତେବେ ଧୀର ଗାଡ଼ିଟିକୁ ଦ୍ରୁତ ଗାଡ଼ିକୁ ରାସ୍ତା ଛାଡ଼ିବା ଜରୁରୀ ।[୧୯] ଏକ ନୀଳ ପତାକା ଦେଖାଯାଇ ଧୀର ଗାଡ଼ିକୁ ଏହାର ସଙ୍କେତ ଦିଆଯାଏ । ଯଦି ଗାଡ଼ିଟି ସମ୍ପୂର୍ଣ୍ଣ ଦୌଡ଼ ଦୂରତାର ୯୦%ରୁ ଅଧିକ ଦୂରତା ଅତିକ୍ରମ କରିନିଏ, ତାହାକୁ ଦୌଡ଼ରେ ସ୍ଥାନ କ୍ରମାଙ୍କ ପ୍ରଦାନ କରାଯାଏ । ବୈଷୟିକ ତ୍ରୁଟି ବା ଦୁର୍ଘଟଣା ଯୋଗୁଁ ଗାଡ଼ିଟି ଦୌଡ଼ ବା ବିଜେତାର ୯୦% ପୂର୍ଣ୍ଣ ନକରିପାରିଲେ ତାହାକୁ ସ୍ଥାନ କ୍ରମାଙ୍କ ଦିଆଯାଏ ନାହିଁ ।
ଦୌଡ଼ ସମୟରେ ଚାଳକମାନେ ଏକ କ୍ଷୁଦ୍ର ବିରତି ନେଇ ପାରିବେ ଯାହାକୁ ପିଟ୍-ଷ୍ଟପ୍ (ଇଂରାଜୀରେ Pit Stop) ବୋଲି କୁହାଯାଏ । ଗାଡ଼ିର ଚକ ବଦଳାଇବା, ଗାଡ଼ିରେ ତେଲ ପକାଇବା, ଗାଡ଼ିର ତ୍ରୁଟି ବିଚ୍ୟୁତି ସୁଧାରିବା ପାଇଁ ଏହି ବିରତିକୁ ବ୍ୟବହାର କରାଯାଏ । ବିରତିକୁ କିପରି ଉପଯୋଗ କରାଯିବ ତାହା ପାଇଁ ଦଳରୁ ଦଳ ଭିନ୍ନ ଧରଣର ଯୋଜନା କରିଥାନ୍ତି । ଦୌଡ଼ବେଳେ ୩ଟି ପ୍ରକାରର ଶୁଖିଲା ଚକରୁ ୨ଟି ପ୍ରକାର ବ୍ୟବହାର କରାଯାଏ ଓ ସମସ୍ତଙ୍କ କ୍ଷମତା ଭିନ୍ନ । ତେଣୁ ଦୌଡ଼ବେଳେ କିପରି ଭାବେ ଚକ ବଦଳାଇଲେ କମ୍ ସମୟରେ ଅଧିକ ଦୂରତା ଅତିକ୍ରମ କରାଯିବ ତାହା ବିରତି ଯୋଜନାର ଅନ୍ତର୍ଗତ । ଦୌଡ଼ ଆରମ୍ଭରେ ଅଧିକ ତେଲ ରଖାଯିବ ନା କମ୍ ତେଲ ରଖାଯିବା କଥା ତାହା ମଧ୍ୟ ଏହି ଯୋଜନାର ଅନ୍ତର୍ଗତ । କମ୍ ତେଲ ଥିଲେ ଗାଡ଼ି ହାଲୁକା ଓ ଅଧିକ ତେଲର ଗାଡ଼ି ଓଜନିଆ ହୋଇଥାଏ । ସଡ଼କ ଓଦା ଥିଲେ ଉପଲବ୍ଧ ଦୁଇ ପ୍ରକାରର ଚକରୁ ଗୋଟିଏ ବ୍ୟବହାର କରିହେବ । ସବୁ ଚକର ବାହାର ପଟକୁ ଏକ ରଙ୍ଗ ଲାଗିଥାଏ ଯାହାକୁ ଦେଖି ଦର୍ଶକମାନେ ବିଭିନ୍ନ ଦଳର ନିଷ୍ପତ୍ତି ଓ ଯୋଜନା ବିଷୟରେ ଧାରଣା କରିପାରିବେ ।
- ଦୌଡ଼ ନିର୍ଦ୍ଦେଶକ
- ୨୦୧୮ ମସିହା ପରଠାରୁ ଚାର୍ଲି ହ୍ୱିଟିଂ ଫର୍ମୁଲା ୱାନ୍ର ଦୌଡ଼ ନିର୍ଦ୍ଦେଶକ ଅଛନ୍ତି । ସେ ଦୌଡ଼ର ନିୟମ ପାଳନ ହେଉଛି ନା ନାହିଁ ତାହା ନିରୀକ୍ଷଣ କରିଥାନ୍ତି । ଦୌଡ଼ ପୂର୍ବରୁ ସେ ସମସ୍ତ ଗାଡ଼ି ଓ ଦୌଡ଼ ଆୟୋଜନର ସମୀକ୍ଷା କରନ୍ତି । ବିବାଦ ପରିସ୍ଥିତି ଉପୁଜିଲେ ଦୌଡ଼ ନିର୍ଦ୍ଦେଶକ ଏହାର ସମାଧାନରେ ଏକ ବଡ଼ ଭୂମିକା ଗ୍ରହଣ କରନ୍ତି । କୌଣସି ନିୟମ ଭଙ୍ଗାଗଲେ କିପରି ଓ କେତେ ଜରିମାନା ଦିଆଯିବ ତାହାର ନିଷ୍ପତ୍ତି ମଧ୍ୟ ଦୌଡ଼ ନିର୍ଦ୍ଦେଶକ ନିଅନ୍ତି ।
- ସୁରକ୍ଷା ଗାଡ଼ି
- କୌଣସି ପ୍ରାକୃତିକ ବା ଅପ୍ରାକୃତିକ କାରଣରୁ ସଡ଼କରେ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେଲେ ଦୌଡ଼ ନିରୀକ୍ଷକମାନେ ସଡ଼କ ଉପରକୁ ସୁରକ୍ଷା ଗାଡ଼ି ପଠାଇଥାନ୍ତି । ସୁରକ୍ଷା ଗାଡ଼ି ରାସ୍ତାକୁ ଆସିବାର ଅର୍ଥ ହେଲା ଦୌଡ଼ କିଛି ସମୟ ପାଇଁ ସ୍ଥଗିତ ହୋଇଛି, ସମସ୍ତେ ସୁରକ୍ଷା ଗାଡ଼ି ପଛରେ ଚାଲିବେ ଓ ପରସ୍ପରକୁ ଅତିକ୍ରମ କରିବାକୁ ଚେଷ୍ଟା କରିବେ ନାହିଁ । ବିପଦ ପରିସ୍ଥିତି ଦୂର ନହେବା ଯାଏଁ ସୁରକ୍ଷା ଗାଡ଼ି ବୁଲୁଥାଏ । ବିପଦ ଦୂର ହେବାର ସୂଚନା ପାଇଲେ ସୁରକ୍ଷା ଗାଡ଼ି ଏକ ନିର୍ଦ୍ଧାରିତ ସ୍ଥାନରେ ରାସ୍ତାରୁ ଓହରିଯାଏ ଓ ଗତିଜ ଅବସ୍ଥାରୁ ପୁଣି ଦୌଡ଼ର ପୁନରାରମ୍ଭ ହୁଏ । ସୁରକ୍ଷା ଗାଡ଼ି ଚାଲୁଥିବା ବେଳେ ବିରତି ନେବାର ସୁବିଧା ମଧ୍ୟ ରହିଛି । ମର୍ସେଡିସ୍-ବେଞ୍ଜ୍ କମ୍ପାନୀର ମର୍ସେଡିସ୍-ଏ.ଏମ୍.ଜି. ଗାଡ଼ିକୁ ସୁରକ୍ଷା ଗାଡ଼ି ଭାବେ ବ୍ୟବହାର କରାଯାଉଛି ।୨୦୦୦ ମସିହାରୁ ଜର୍ମାନୀର ପୂର୍ବ ଦୌଡ଼ ଚାଳକ ବର୍ଣଡ୍ ମେଲେଣ୍ଡର୍ ସୁରକ୍ଷା ଗାଡ଼ିର ଚାଳକର ଭୂମିକା ଗ୍ରହଣ କରିଛନ୍ତି ।[୨୦] ସୁରକ୍ଷା ଗାଡ଼ିର ସର୍ବାଧିକ ବେଗ ୩୦୦ କି.ମି./ ଘଣ୍ଟାରୁ ଅଧିକ । କିନ୍ତୁ ପରିକ୍ରମା ସଡ଼କରେ ଏହା ୧୯୦-୨୫୦ କି.ମି. ପ୍ରତି ଘଣ୍ଟା ବେଗରେ ଯାଉଥାଏ । ସୁରକ୍ଷା ଗାଡ଼ି ହଟିଯିବା ପରେ ପରସ୍ପରକୁ ଅତିକ୍ରମ କରିବାର ଅନୁମତି ରହିଛି ।
ଫର୍ମୁଲା ୱାନ୍ ପତାକାସମୂହ
[ସମ୍ପାଦନା]ପତାକା | ସଙ୍କେତ |
---|---|
ହଳଦିଆ | ସଡ଼କରେ କୌଣସି ବାଧା ସୃଷ୍ଟି ହୋଇଛି । ଦୁଇଟି ହଳଦିଆ ପତାକାର ଅର୍ଥ ଲୋକମାନେ ସଡ଼କରୁ ବାଧା ହଟାଇବାର କାମ କରୁଛନ୍ତି । ତେଣୁ ଚାଳକମାନେ ତୁରନ୍ତ ନିଜ ବେଗ କମ୍ କରନ୍ତୁ । ହଳଦିଆ ପତାକା ଉଡ଼ୁଥିଲେ ରାସ୍ତା ଉପରେ ବାଧା ଓ ପତାକା ଉଡ଼ୁନଥିଲେ ରାସ୍ତା କଡ଼ରେ ବାଧା ରହିଛି ବୋଲି ବୁଝିବାକୁ ହେବ । |
ସୁରକ୍ଷା ଗାଡ଼ି ପତାକା | ରାସ୍ତା ଉପରକୁ ସୁରକ୍ଷା ଗାଡ଼ି ଆସିଛି । ଗାଡ଼ିର ବେଗ କମାନ୍ତୁ, ଯେଉଁ କ୍ରମରେ ଅଛନ୍ତି ସେହି କ୍ରମରେ ରହି ସୁରକ୍ଷା ଗାଡ଼ି ପଛେ ପଛେ ଯାଆନ୍ତୁ । |
କାଳ୍ପନିକ ସୁରକ୍ଷା ଗାଡ଼ି ପତାକା | ଗାଡ଼ିର ବେଗ କମାନ୍ତୁ କିନ୍ତୁ ରାସ୍ତାର ଅଂଶ ଅନୁସାରେ ଗାଡ଼ିମାନେ ନିଜର ବେଗ ନିୟନ୍ତ୍ରଣ କରିବାକୁ ବାଧ୍ୟ । |
ହଳଦିଆ, ଲାଲ୍ ପଟାଦାଗ ପତାକା | ପାଣି, ତେଲ ବା ଅନ୍ୟ ସାମଗ୍ରୀ ପଡ଼ି ରାସ୍ତା ଖସଡ଼ା ହୋଇଯାଇଥିବାର ସଙ୍କେତ । କୌଣସି ଜୀବଜନ୍ତୁ ରାସ୍ତା ଉପରକୁ ଚାଲି ଆସିଲେ ମଧ୍ୟ ଏହି ପତାକା ଉଡ଼ିଥାଏ । |
ସବୁଜ | ସାମାନ୍ୟ ଦୌଡ଼ର ସଙ୍କେତ । ହଳଦିଆ ପରେ ସବୁଜ ପତାକା ଆସିବା ଅର୍ଥ ବାଧା ଦୂର ହୋଇଛି, ତେଣୁ ବେଗ ବଢ଼ାଇ ଗାଡ଼ି ଚଳାଇ ହେବ । |
ନୀଳ | ଗୋଟିଏ ଘେରା ସମ୍ପୂର୍ଣ୍ଣ କରି ଦ୍ରୁତ ବେଗରେ ଆସୁଥିବା ଗାଡ଼ିକୁ ରାସ୍ତା ଛାଡ଼ିଦେବାର ସଙ୍କେତ । |
ଧଳା | ଆଗରେ ଅପେକ୍ଷାକୃତ ଧୀର ଗାଡ଼ିଟିଏ ଦୌଡ଼ୁଛି । ମୁଖ୍ୟତଃ ପିଟ୍ ବିରତିରୁ ମୁଖ୍ୟ ରାସ୍ତାକୁ ମିଶିବା ସ୍ଥାନରେ ଏହି ପତାକା ରହିଥାଏ । |
ଲାଲ୍ | ଦୌଡ଼ ବନ୍ଦ ହେବାର ସଙ୍କେତ । |
କଳା | ଗାଡ଼ି ଚାଳକ ଅଯୋଗ୍ୟ ଘୋଷିତ ହେବାର ସଙ୍କେତ । |
କମଳା ଗୋଲ ଥିବା କଳା ପତାକା | ଆପଣଙ୍କ ଗାଡ଼ିରେ ତ୍ରୁଟି ଦେଖା ଦେଇଛି । ତୁରନ୍ତ ପିଟ୍ ଅଭିମୁଖେ ଯାଆନ୍ତୁ । |
ଅଧା କଳା/ଅଧା ଧଳା | ଅଣ-ଖେଳୁଆଡ଼ ଭାବ ବା ବିଶୃଙ୍ଖଳା ପ୍ରଦର୍ଶନ କରିଥିବା ଚାଳକଙ୍କୁ ଏହି ପତାକା ଦେଖାଯାଏ । ଆଗକୁ ଅଧିକ ବିଶୃଙ୍ଖଳିତ ମନୋଭାବ ରଖିଲେ କଳା ପତାକା ଦେଖାଯିବାର ସମ୍ଭାବନା ରହିଥାଏ । |
କଳା-ଧଳା ଛକଛକ (ଚେସ୍ ବୋର୍ଡ୍ ପରି) ପତାକା | ଚାଳକ ଦୌଡ଼ ସମାପ୍ତ କରିପାରିଥିବାର ସଙ୍କେତ । |
ପଏଣ୍ଟ୍ ବ୍ୟବସ୍ଥା
[ସମ୍ପାଦନା]ପ୍ରଥମ | ଦ୍ୱିତୀୟ | ତୃତୀୟ | ଚତୁର୍ଥ | ପଞ୍ଚମ | ଷଷ୍ଠ | ସପ୍ତମ | ଅଷ୍ଟମ | ନବମ | ଦଶମ |
---|---|---|---|---|---|---|---|---|---|
୨୫ | ୧୮ | ୧୫ | ୧୨ | ୧୦ | ୮ | ୬ | ୪ | ୨ | ୧ |
ବିଜେତା ଓ ଅନ୍ୟ ସ୍ଥାନରେ ରହୁଥିବା ଗାଡ଼ିମାନଙ୍କୁ ପଏଣ୍ଟ୍ ମିଳିଥାଏ । ବର୍ତ୍ତମାନ ପ୍ରଚଳିତ ପଏଣ୍ଟ୍ ବିତରଣ ବ୍ୟବସ୍ଥା ୨୦୧୦ ମସିହାରୁ ପ୍ରଚଳିତ ହୋଇଆସୁଛି । ବିଜେତା ଚାଳକ ଓ ଦଳକୁ ୨୫ ପଏଣ୍ଟ୍ ମିଳେ । ଦଳର ଉଭୟ ଗାଡ଼ି ପଏଣ୍ଟ୍ ପାଇଲେ ଦଳ ବିଜେତା ହେବାର ସମ୍ଭାବନା ଅଧିକ ହୁଏ । ପ୍ରତି ଦୌଡ଼ରୁ ମିଳୁଥିବା ପଏଣ୍ଟ୍ ମିଶି ମିଶି ଚାଲିଥାଏ ଓ ବର୍ଷ ଶେଷରେ ବାର୍ଷିକ ଚାମ୍ପିୟନ୍ ବା ବିଜେତା ଘୋଷଣା କରାଯାଏ । ଯଦି କୌଣସି ଚାଳକ ବର୍ଷ ମଝିରେ ନିଜ ଦଳ ବଦଳାଇ ଦିଅନ୍ତି ତେବେ ମଧ୍ୟ ତାଙ୍କୁ ଜିତିଥିବା ସମସ୍ତ ଦୌଡ଼ର ପଏଣ୍ଟ୍ ମିଳେ ।[୨୧]
ଅତି କମରେ ୯୦% ରାସ୍ତା ଅତିକ୍ରମ କରିଥିଲେ ଚାଳକ ମୁଖ୍ୟ ଦୌଡ଼ରେ ପଏଣ୍ଟ୍ ବା କ୍ରମାଙ୍କରେ ରହିବାର ଯୋଗ୍ୟତା ଲାଭ କରନ୍ତି । ବେଳେ ବେଳେ ଦୌଡ଼ ପୂର୍ଣ୍ଣ ନ କରିପାରିଲେ ମଧ୍ୟ ଚାଳକ ଯୋଗ୍ୟତା ଲାଭ କରିଥିଲେ ପଏଣ୍ଟ୍ ପାଇପାରିବେ । ଏଥିପାଇଁ ଚାଳକଙ୍କ ଆଗର ଗାଡ଼ି ସବୁ କଳା ପତାକା ପାଇଥିବା କିମ୍ବା ତ୍ରୁଟି ଯୋଗୁଁ ଅଟକି ଯାଇଥିବା ସମ୍ଭବପର ।[୨୨]
ଗ୍ରାଁ-ପ୍ରି
[ସମ୍ପାଦନା]ଉଦଘାଟନୀ ୧୯୫୦ ବର୍ଷରେ ୭ଟି ଗ୍ରାଁ-ପ୍ରି ଅନୁଷ୍ଠିତ ହୋଇଥିବା ବେଳେ, ୨୦୧୮ ମସିହାରେ ୨୧ଟି ଗ୍ରାଁ-ପ୍ରି ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭିକ ଦଶନ୍ଧିରେ ୧୧ରୁ ଅଧିକ ଗ୍ରାଁ-ପ୍ରି ହେଉନଥିଲା, କିନ୍ତୁ ୧୯୭୦ ଦଶନ୍ଧିରେ ଏହା ବଢ଼ି ୧୬ରୁ ୧୭ଟି ଦୌଡ଼ ଅନୁଷ୍ଠିତ ହେଉଥିଲା । ୨୦୦୦ ପରେ ବାର୍ଷିକ ଗ୍ରାଁ-ପ୍ରି ସଂଖ୍ୟା ବଢ଼ି ୧୯ ହୋଇଯାଇଥିଲା । ୨୦୧୬ରୁ ବାର୍ଷିକ ୨୧ଟି ଦୌଡ଼ ଅନୁଷ୍ଠିତ ହୋଇଆସୁଛି ।
ପୂର୍ବେ ୭ରୁ ୬ଟି ଦୌଡ଼ ୟୁରୋପରେ ଆୟୋଜିତ ହେଉଥିଲା । କେବଳ ଯୁକ୍ତରାଷ୍ଟ୍ର ଆମେରିକାର ଇଣ୍ଡିଆନାପୋଲିସ୍ଠାରେ ଗୋଟିଏ ଦୌଡ଼ ହେଉଥିଲା । ପରେ ଫର୍ମୁଲା-୧ ଦୌଡ଼ ଅଣ-ୟୁରୋପୀୟ ଦେଶମାନଙ୍କୁ ବ୍ୟାପିବାକୁ ଲାଗିଲା । ୧୯୫୩ରେ ଆର୍ଜେଣ୍ଟିନା ଦକ୍ଷିଣ-ଆମେରିକୀୟ ଗ୍ରାଁ-ପ୍ରି ଓ ୧୯୫୮ରେ ମୋରୋକ୍କୋ ପ୍ରଥମ ଥର ପାଇଁ ଆଫ୍ରିକୀୟ ଗ୍ରାଁ-ପ୍ରିର ଆୟୋଜନ କରିଥିଲେ । ୧୯୭୬ରେ ଜାପାନ ପ୍ରଥମ ଏସୀୟ ଗ୍ରାଁ-ପ୍ରି ଓ ୧୯୮୫ରେ ଅଷ୍ଟ୍ରେଲିଆ ପ୍ରଥମ ଅଷ୍ଟ୍ରେଲୀୟ ଗ୍ରାଁ-ପ୍ରିର ଆୟୋଜନ କଲେ ।
ପ୍ରମୁଖ ମୋଟର ଦୌଡ଼ ସଡ଼କ
[ସମ୍ପାଦନା]ପ୍ରତି ପରିକ୍ରମା ସଡ଼କ ବା ରେସିଂ ଟ୍ରାକରେ କିଛି ସରଳ ରୈଖିକ ଅଂଶ ରହିଥାଏ । ସେଥିରୁ ଗୋଟିଏ ଦୌଡ଼ ଆରମ୍ଭ କରିବା ପାଇଁ କାମରେ ଲାଗେ । ବିରତି ପାଇଁ ପିଟ୍-ସଡ଼କ ରହିଥାଏ ଓ ମୁଖ୍ୟ ରାସ୍ତାରୁ ପିଟ୍ ମଧ୍ୟକୁ ପଶିବା ପାଇଁ ଦୁଇଟି ସ୍ଥାନରେ ପିଟ୍-ସଡ଼କ ଓ ମୁଖ୍ୟ ସଡ଼କ ସଂଯୁକ୍ତ ହୋଇ ରହିଥାନ୍ତି । ସାଧାରଣତଃ ଆରମ୍ଭ ବିନ୍ଦୁ ନିକଟରେ ପିଟ୍-ବିରତି ସ୍ଥାନ ରହିଥାଏ । ପ୍ରାୟ ସମସ୍ତ ସଡ଼କରେ ଚାଳକମାନେ ଘଣ୍ଟା କଣ୍ଟା ଦିଗରେ ବୁଲନ୍ତି । ଘଣ୍ଟା କଣ୍ଟାର ବିପରୀତ ଦିଗରେ ବୁଲୁଥିବା ଅଳ୍ପ କିଛି ସଡ଼କ ରହିଛି । ଏପରି ସଡ଼କରେ ସବୁ ବାଙ୍କ ବାମ ଆଡ଼କୁ ବୁଲେ । ଦ୍ରୁତ ବେଗରେ ବାମକୁ ବୁଲିଲେ ଚାଳକମାନେ ବେକରେ ଯନ୍ତ୍ରଣା ଅନୁଭବ କରୁଥିବା କୁହାଯାଇଛି ।
-
ବ୍ରାଜିଲ୍ର ସାଓପାଲୋରେ ବ୍ରାଜିଲୀୟ ଗ୍ରଁ-ପ୍ରି ଆୟୋଜିତ ହୁଏ
-
ଆକାଶ ମାର୍ଗରୁ ଇଟାଲୀର ମୋଞ୍ଜା ଫର୍ମୁଲା-୧ ଦୌଡ଼ ସଡ଼କ
-
ଭାରତର ବୁଦ୍ଧ ରେସିଂ ସର୍କିଟ୍
-
ମୋନାକୋ ସହରର ସାଧାରଣ ରାସ୍ତାରେ ଦୌଡ଼ ହୁଏ
-
ଜର୍ମାନୀର ହକେନ୍ହାଇମ୍ ରିଂଗ୍
ଅଧିକାଂଶ ଦୌଡ଼ ସଡ଼କ ସହରରୁ ଦୂର ସ୍ଥାନରେ ସ୍ୱତନ୍ତ୍ର ରୂପେ ଓ ଫର୍ମୁଲା-୧ ବା ଅନ୍ୟ ମୋଟର ଦୌଡ଼ ପାଇଁ ନିର୍ମିତ ହୋଇଛନ୍ତି । ମୋନାକୋ, ମେଲବର୍ଣ୍ଣ୍, ସିଙ୍ଗାପୁର, ଋଷର ସୋଚି ଓ ଆଜେର୍ବାଇଜାନର ବାକୁ ସହରରେ ଫର୍ମୁଲା-୧ ଦୌଡ଼ ହୋଇଥାଏ । ପୂର୍ବେ ସ୍ପେନ୍ର ଭାଲେନ୍ସିଆରେ ସହରର ସାଧାରଣ ଯାତାୟତ ସଡ଼କରେ ଦୌଡ଼ ହେଉଥିଲା । ବର୍ତ୍ତମାନ କେବଳ ମୋନାକୋରେ ସାଧାରଣ ଗମନାଗମନ ସଡ଼କ ଦୌଡ଼ ପାଇଁ ବ୍ୟବହାର କରାଯାଉଛି । ମୋନାକୋ ସଡ଼କ ଫର୍ମୁଲା-୧ର ସୁରକ୍ଷା ନିୟମ ସବୁ ମାନି ପାରିବାରେ ଅକ୍ଷମ ଥିବା ସତ୍ତ୍ୱେ ପାରମ୍ପରିକ ଓ ଐତିହାସିକ ମାନ୍ୟତା ଦେଇ ଏଠାରେ ଏବେ ବି ଦୌଡ଼ ଅନୁଷ୍ଠିତ ହେଉଛି । ୩ ଥର ବିଶ୍ୱବିଜୟୀ ହୋଇଥିବା ଚାଳକ ନେଲ୍ସନ୍ ପିକେ ଥରେ ମୋନାକୋ ସଡ଼କ ବିଷୟରେ କହିଥିଲେ ଯେ – ମୋନାକୋରେ ମୋଟର ଦୌଡ଼ କରିବା ନିଜ ଦାଣ୍ଡ ଘରେ ସାଇକେଲ୍ ଚଳାଇବା ପରି ।[୨୩]
ଫର୍ମୁଲା-୧ ଗାଡ଼ି ଚାଳକ
[ସମ୍ପାଦନା]-
ଜର୍ମାନୀର ଚାଳକ ମାଇକେଲ୍ ଶୁମାକର୍
-
ସେବାଷ୍ଟିଆନ୍ ଭେଟ୍ଟେଲ୍
-
ଫର୍ମୁଲା-୧ ଖେଳିଥିବା ଭାରତୀୟ ଚାଳକ କରୁଣ ଚଣ୍ଡୋକ
-
ଜାପାନର ଫର୍ମୁଲା-୧ ଚାଳକ କାମୁଇ କୋବାୟାଶି
-
ବ୍ରିଟେନ୍ର ଫର୍ମୁଲା-୧ ଗାଡ଼ି ଚାଳକ ଲୁଇସ୍ ହାମିଲ୍ଟନ୍
-
ସ୍ପେନ୍ର ଫର୍ମୁଲା-୧ ଚାଳକ ଫର୍ଣ୍ଣାଣ୍ଡୋ ଆଲୋନ୍ସୋ
-
ବ୍ରାଜିଲ୍ର ରୁବେନ୍ସ ବାରିକେଲୋ
-
ଭାରତୀୟ ଫର୍ମୁଲା-୧ ଚାଳକ ଓ ପଦ୍ମଶ୍ରୀ ନାରାୟଣ କାର୍ତ୍ତିକେୟନ୍
ପ୍ରତି ଫର୍ମୁଲା ୱାନ୍ ଦଳରୁ ଏକ ଦୌଡ଼ରେ ଦୁଇଟି ଗାଡ଼ି ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତି । ଗୋଟିଏ ଦଳ ୪ ଜଣ ଚାଳକ ରଖିପାରିବେ ଯେଉଁଥିରୁ ୨ ଜଣ ମୁଖ୍ୟ ଚାଳକ ଓ ଅନ୍ୟ ଦୁଇ ଜଣ ଅତିରିକ୍ତ ଚାଳକ ଭାବେ ରହିଥାନ୍ତି । [୧୫] ଅଭ୍ୟାସ ଦିନ ଅତିରିକ୍ତ ଚାଳକମାନଙ୍କୁ ସୁଯୋଗ ମିଳିପାରେ[୧୫] ଓ ଏହା ନୂତନ ପ୍ରତିଭା ଚିହ୍ନଟ ପାଇଁ ମାର୍ଗ ପ୍ରସ୍ତୁତ କରେ ।[୨୪][୨୫] ପ୍ରତି ଚାଳକ ପାଖରେ ଏଫ୍. ଆଇ. ଏ. ସୁପର୍ ଲାଇସେନ୍ସ ରହିବା ଅନିବାର୍ଯ୍ୟ ଯାହା ନଥିଲେ ଚାଳକ ଦୌଡ଼ରେ ଅଂଶ ଗ୍ରହଣ କରିପାରିବେ ନାହିଁ ।[୨୬]
ଅଦ୍ୟାବଧି ୩୩ ଜଣ ଚାଳକ ବିଶ୍ୱ ବିଜୟୀ ହେବାର ଗୌରବ ଲାଭ କରିଛନ୍ତି । ମାଇକେଲ୍ ଶୁମାକର୍ ସର୍ବାଧିକ ୭ ଥର, ଜୁଆନ୍ ମାନୁଏଲ୍ ଫାଙ୍ଗିଓ ଓ ସେବାଷ୍ଟିଆନ୍ ଭେଟ୍ଟେଲ୍ ଦ୍ୱିତୀୟ ସର୍ବାଧିକ ୫ ଥର ଏହି ଗୌରବର ଅଧିକାରୀ ହୋଇଛନ୍ତି । ସବୁଠାରୁ ଅଧିକ ଦୌଡ଼ ଜିତିବାର କୀର୍ତ୍ତିମାନ ମଧ୍ୟ ମାଇକେଲ୍ ଶୁମାକରଙ୍କ ନାମରେ ରହିଛି । ୟୋଖେନ୍ ରିଣ୍ଡ୍ ମରଣୋତ୍ତର ବିଶ୍ୱ ବିଜୟୀ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ବ୍ରିଟେନ୍ର ୧୦ ଜଣ ଚାଳକ ୧୮ଟି ବିଶ୍ୱ ବିଜେତା ଉପାଧୀ ଧାରଣ କରିଛନ୍ତି ।
ପ୍ରାୟ ସମସ୍ତ ଚାଳକ କାର୍ଟ୍ ରେସିଂରୁ ନିଜର କର୍ମ ଜୀବନ ଆରମ୍ଭ କରନ୍ତି । ନିମ୍ନ ଫର୍ମୁଲା ଦୌଡ଼ରେ ଭଲ ପ୍ରଦର୍ଶନ କରି ସେମାନେ ଉପରକୁ ଉତ୍ତୀର୍ଣ୍ଣ ହୋଇ ଆସିଥାନ୍ତି । ଫର୍ମୁଲା-୩, ଫର୍ମୁଲା-୨, ଫର୍ମୁଲା ରେନୋ, ଫର୍ମୁଲା ଫୋର୍ଡ୍ ଆଦି ତଳ ସ୍ତରର ମୋଟର ଦୌଡ଼ର ଉଦାହରଣ । ବ୍ରିଟିଶ୍ ଫର୍ମୁଲା-୩ରେ ଉତ୍ତମ ପ୍ରଦର୍ଶନ କରି ନାଇଜେଲ୍ ମାନ୍ସେଲ୍, ଏର୍ଟନ୍ ସେନ୍ନା ଓ ମିକା ହାକିନେନ୍ଙ୍କ ପରି ଚାଳକ ଫର୍ମୁଲା ୱାନ୍କୁ ପ୍ରବେଶ କରିଥିଲେ । ୨୦୦୭ ବର୍ଷର ବିଶ୍ୱ ବିଜେତା କିମି ରେଇକୋନେନ୍ ଫର୍ମୁଲା ରେନୋରେ ଭଲ ପ୍ରଦର୍ଶନ କରିବା ପରେ ସିଧାସଳଖ ଭାବେ ଫର୍ମୁଲା ୱାନ୍ ଖେଳିଥିଲେ ।[୨୭]
ପ୍ରାୟ ଫର୍ମୁଲା ୱାନ୍ ଗାଡ଼ି ଚାଳକ ୩୫ ବର୍ଷ ବୟସ ଆଖାପାଖି ବା ତାହା ପରେ ଅବସର ଗ୍ରହଣ କରିନିଅନ୍ତି । ଅବସର ପରେ ସେମାନେ ଅନ୍ୟ ଛୋଟମୋଟ ମୋଟର ଦୌଡ଼ରେ ଭାଗ ନିଅନ୍ତି । ଅବସର ପରେ ନାଇଜେଲ୍ ମାନ୍ସେଲ୍ ୧୯୯୩ର ଚାମ୍ପ୍ କାର୍ ଟୁର୍ଣ୍ଣାମେଣ୍ଟ୍, ରୁବେନ୍ସ ବାରିକେଲୋ ୨୦୧୨ର ଇଣ୍ଡିକାର୍ ପ୍ରତିଯୋଗିତାରେ ଭାଗନେଇଥିଲେ । ଜୁଆନ୍ ପାବ୍ଲୋ ମୋଣ୍ଟୋୟା, ମିକା ହାକିନେନ୍, ଜାକ୍ ଭିଲେନୌ, ନେଲ୍ସନ୍ ପିକେ ଜୁନିୟର୍, ସ୍କଟ୍ ସ୍ପିଡ୍ ପ୍ରଭୃତି ନାସ୍କାର୍ ପ୍ରତିଯୋଗିତାରେ ଯୋଗ ଦେଇଥିଲେ ।
ଜର୍ମାନୀରେ ଅନୁଷ୍ଠିତ ଡଏଚ୍ ଟୋରେନ୍ୱାଗେନ୍ ମାଷ୍ଟର୍ସ୍ (DTM) ଏକ ଲୋକପ୍ରିୟ ମୋଟର ଦୌଡ଼ ପ୍ରତିଯୋଗିତା । ଫର୍ମୁଲା ୱାନ୍ରୁ ଅବସର ନେବା ପରେ ଡେଭିଡ୍ କୁଲ୍ଟହାର୍ଡ୍, ରାଲ୍ଫ୍ ଶୁମାକର୍ ଓ ଜ୍ୟନ୍ ଆଲେସି ପରି ଫର୍ମୁଲା-୧ ଚାଳକ ଏହି ପ୍ରତିଯୋଗିତାରେ ଭାଗ ନେଉଥିଲେ । ୨୦୦୫ ଓ ୨୦୦୬ ମସିହାରେ ଫର୍ମୁଲା ୱାନ୍ରୁ ଅବସରପ୍ରାପ୍ତ ଚାଳକଙ୍କୁ ନେଇ ଗ୍ରାଁ-ପ୍ରି ମାଷ୍ଟର୍ସ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।[୨୮] କରୁଣ ଚଣ୍ଡୋକ, ବ୍ରୁନୋ ସେନ୍ନା, ଫିଲିପେ ମାସା, ଜାର୍ଣ୍ଣୋ ଟ୍ରୁଲିଙ୍କ ପରି ଚାଳକ ଫର୍ମୁଲା-୧ ପରେ ଫର୍ମୁଲା-ଇ ଦୌଡ଼ରେ ଯୋଗ ଦେଇଥିଲେ । ଭାରତୀୟ ଚାଳକ ଓ ପଦ୍ମଶ୍ରୀ ପୁରସ୍କାର ବିଜେତା ନାରାୟଣ କାର୍ତ୍ତିକେୟନ୍ ଫର୍ମୁଲା-୧ ପରେ ଏ୧ ଗ୍ରାଁ-ପ୍ରିରେ ଯୋଗ ଦେଇଥିଲେ । ଅନେକ ପୂର୍ବତନ ଚାଳକ ବର୍ତ୍ତମାନ ଫର୍ମୁଲା ୱାନ୍ ଦଳର ମୁଖିଆ ସାଜିଛନ୍ତି ତ ଆଉ ଅନେକ ଟେଲିଭିଜନରେ ଧାରା ବିବରଣୀ ପ୍ରଦାନ କରୁଛନ୍ତି । ଆର୍ଜେଣ୍ଟିନାର ଦୌଡ଼ ଚାଳକ କାର୍ଲୋସ୍ ରଏଟେମାନ୍ ଅବସର ପରେ ରାଜନୀତିରେ ଯୋଗ ଦେଇଥିଲେ ।
କେତେକ ପ୍ରମୁଖ ଗାଡ଼ି ନିର୍ମାତା ଓ ଫର୍ମୁଲା ୱାନ୍ ଦଳ
[ସମ୍ପାଦନା]-
ଇଟାଲୀୟ ଗାଡ଼ି କମ୍ପାନୀ ଫେରାରିର ଗାଡ଼ି
-
ବ୍ରିଟିଶ୍ ଗାଡ଼ି କମ୍ପାନୀ ମକ୍ଲାରେନ୍ର ଗାଡ଼ି
-
ଜର୍ମାନୀର ମର୍ସେଡିସ୍ କମ୍ପାନୀର ଦୌଡ଼ଗାଡ଼ି
-
ରେଡ୍ ବୁଲ୍ ରେସିଂ କମ୍ପାନୀର ଫର୍ମୁଲା-୧ ଗାଡ଼ି
-
ଫୋର୍ସ୍ ଇଣ୍ଡିଆର ଫର୍ମୁଲା-୧ ଗାଡ଼ି
୧୯୮୧ ମସିହା ପରଠାରୁ[୨୯] ଫର୍ମୁଲା ୱାନ୍ ଦଳମାନେ ନିଜର ଗାଡ଼ିର ଚେସିସ୍ ନିର୍ମାଣ କରିବେ ବୋଲି ନିୟମ ଆସିଥିଲା । ତେଣୁ ଫର୍ମୁଲା ୱାନ୍ ଦଳ ଓ ନିର୍ମାତା ଏକା ଜିନିଷକୁ ବୁଝାଇଲା । ସମସ୍ତ ନିର୍ମାତାଙ୍କ ମଧ୍ୟରେ ଫେରାରି ସର୍ବ ପୁରାତନ ଫର୍ମୁଲା ୱାନ୍ ଦଳ । ଫେରାରି ୧୯୫୦ର ଉଦଘାଟନୀ ମୋଟର ଦୌଡ଼ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଫର୍ମୁଲା ୱାନ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଆସିଛି ।
ପ୍ରାରମ୍ଭିକ ସମୟରେ ଗୋଟିଏ କାର୍ ନିର୍ମାତା କମ୍ପାନୀ ଏକ ଫର୍ମୁଲା ୱାନ୍ ଦଳର ମାଲିକ ଥିଲା । ସେମାନେ ନିଜର ଯନ୍ତ୍ରୀ, ଯନ୍ତ୍ର ଓ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ଗାଡ଼ି ନିର୍ମାଣ କରୁଥିଲେ । ଫେରାରି, ଜାଗୁଆର୍, ବି. ଏମ୍. ଡବ୍ଲୁ, ରେନୋ, ଟୋୟୋଟା, ହୋଣ୍ଡା ପ୍ରଭୃତି କମ୍ପାନୀ ୧୯୯୦ ଓ ୨୦୦୦ ଦଶନ୍ଧିରେ ନିଜର ଫର୍ମୁଲା ୱାନ୍ ଦଳ ସ୍ଥାପନ କରି ଦୌଡ଼ରେ ଅଂଶ ନେଉଥିଲେ ।
ଫେରାରି ଓ ଫେରାରିର ଗାଡ଼ି ଚଳାଉଥିବା ଚାଳକ ମାଇକେଲ୍ ଶୁମାକର୍ ନିରବଚ୍ଛିନ୍ନ ଭାବେ ୫ ବର୍ଷ (୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ) ପାଇଁ ବିଶ୍ୱବିଜୟୀ ନିର୍ମାତା ଓ ବିଶ୍ୱବିଜୟୀ ଚାଳକ ହେବାର ଗୌରବ ଅର୍ଜନ କରିଥିଲେ । ଫେରାରି ୧୯୯୯ରୁ ନେଇ ୨୦୦୪ ପର୍ଯ୍ୟନ୍ତ ୫ ବର୍ଷ ଶ୍ରେଷ୍ଠ ନିର୍ମାତା ହୋଇଥିଲା । ଶୁମାକର୍ ଅପରପକ୍ଷେ ଅନେକ ବ୍ୟକ୍ତିଗତ କୀର୍ତ୍ତିମାନ ସ୍ଥାପନ କରିଥିଲେ । ସର୍ବାଧିକ ଗ୍ରାଁ-ପ୍ରି ବିଜୟ (୯୧), ଗୋଟିଏ ବର୍ଷରେ ସର୍ବାଧିକ ବିଜୟ (୧୩/୧୮), ସର୍ବାଧିକ ଥର ଶ୍ରେଷ୍ଠ ଚାଳକ ବା ବିଶ୍ୱବିଜେତା (୭) ଇତ୍ୟାଦି ରେକର୍ଡ୍ ଶୁମାକରଙ୍କ ନାମରେ ରହିଛି ।[୩୦]
୨୦୦୮ ଓ ୨୦୦୯ ମସିହାର ବିଶ୍ୱବ୍ୟାପୀ ଆର୍ଥିକ ମାନ୍ଦାପଣ ଯୋଗୁଁ ହୋଣ୍ଡା, ବି. ଏମ୍. ଡବ୍ଲୁ. ଓ ଟୋୟୋଟା ପରି କମ୍ପାନୀ ଫର୍ମୁଲା ୱାନ୍ ଦୌଡ଼ରୁ ବାହାରି ଯାଇଥିଲେ । ତାହାର କିଛି ସମୟ ପୂର୍ବରୁ ହୋଇଥିବା କିଣାବିକା ଓ ଏହି ଘଟଣାକ୍ରମ ପରେ ଫର୍ମୁଲା-୧ରେ ନିର୍ମାତା କମ୍ପାନୀମାନଙ୍କ ପ୍ରାଧାନ୍ୟ ଆଉ ବେଶୀ ରହିଲା ନାହିଁ । ବ୍ରନ୍ ଜିପି ନାମକ ଏକ ଦଳ ହୋଣ୍ଡାର ଫର୍ମୁଲା-୧ ଦଳର ମାଲିକାନା ହାସଲ କଲା । ସେହି ବର୍ଷ ଦୌଡ଼ରେ ଜେନ୍ସନ୍ ବଟନ୍ ଓ ରୁବେନ୍ସ ବାରିକେଲୋ ନାମକ ଚାଳକଯୁଗଳ ଏହି ଦଳର ପ୍ରତିନିଧିତ୍ୱ କରିଥିଲେ ଓ ଏହାକୁ ବିଜୟୀ କରାଇଥିଲେ । ସେହିପରି ପିଟର୍ ସାଉବର୍ ବି. ଏମ୍. ଡବ୍ଲୁ. ଦଳର ମାଲିକ ହୋଇଥିଲେ । ସେହିବର୍ଷ ଲୋଟସ୍ ବୋଲି ଆଉ ଏକ ନୂତନ ଫର୍ମୁଲା-୧ ଦଳ ଆବିର୍ଭାବ ହୋଇଥିଲା ।[୩୧] ଏପରି ଧୀରେ ଧୀରେ ନିର୍ମାତାମାନଙ୍କଠାରୁ ଦଳର ମାଲିକାନା ବେସରକାରୀ ଓ ସ୍ୱତନ୍ତ୍ର କମ୍ପାନୀମାନଙ୍କ ହାତକୁ ଯିବାକୁ ଲାଗିଲା । ୨୦୦୭ ମସିହାରେ ଫେରାରି ଦଳର ଗୋପନୀୟ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବା ଓ ଗୁପ୍ତ ଗୋଇନ୍ଦାଗିରି କରିବା ପାଇଁ ମକ୍ଲାରେନ୍ କମ୍ପାନୀକୁ ଦଣ୍ଡିତ କରାଗଲା । ୨୦୧୦ ବେଳକୁ କେବଳ ତିନୋଟି ନିର୍ମାତା ସଂସ୍ଥା ମର୍ସେଡିସ୍, ମକ୍ଲାରେନ୍ ଓ ଫେରାରି ଫର୍ମୁଲା ୱାନ୍ର ପ୍ରତିଯୋଗୀ ଦଳ ଥିଲେ । ୨୦୦୭ ମସିହାରେ ସ୍ପାଇକର୍ ଫର୍ମୁଲା ୱାନ୍ ଦଳକୁ ବିଜୟ ମାଲ୍ୟା ଓ ମିଶେଲ୍ ମୋଲ୍ କିଣି ଫୋର୍ସ୍ ଇଣ୍ଡିଆ ଫର୍ମୁଲା-୧ ଦଳ ଆରମ୍ଭ ହୋଇଥିଲା ।[୩୨] ଆର୍ଥିକ ଅଭାବ କାରଣରୁ ୨୦୧୮ ମସିହା ଜୁଲାଇ ମାସରୁ ଫୋର୍ସ୍ ଇଣ୍ଡିଆ ଫର୍ମୁଲା ୱାନ୍ ଦୌଡ଼ରେ ଅଂଶ ଗ୍ରହଣ କରୁନାହିଁ । [୩୩]
ଫର୍ମୁଲା ୱାନ୍ ଦଳମାନେ ନିଜର ଆୟବ୍ୟୟ ତଥ୍ୟ ଗୋପନୀୟ ରଖିଥାନ୍ତି । କିନ୍ତୁ ଆକଳନ ଅନୁସାରେ ଏକ ଦଳ ବର୍ଷକୁ ହାରାହାରି ୬୬୦-୪୪୦୦ ଲକ୍ଷ ଆମେରିକୀୟ ଡଲାର୍ ଖର୍ଚ୍ଚ କରେ ।[୩୪]
ଫର୍ମୁଲା ୱାନ୍ ଦୌଡ଼ରେ ଏକ ନବାଗତ ଦଳ ଭାଗ ନେବା ପାଇଁ ତାକୁ ଅନ୍ତର୍ଜାତୀୟ ମୋଟର ମହାସଂଘକୁ ଏକା ଥରକରେ ୨୫୦ ଲକ୍ଷ ଆମେରିକୀୟ ଡଲାର୍ ଦେବାକୁ ପଡ଼ିଥାଏ । ତେଣୁ ନିର୍ମାତା ବା ବେସରକାରୀ ସଂସ୍ଥା ଏକ ସକ୍ରିୟ ଦଳର ମାଲିକାନା ହାସଲ କରି ଦୌଡ଼ରେ ପଶନ୍ତି ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Discovering What Makes Formula One, Formula One – For Dummies". Dummies.com. Retrieved 14 September 2009.
- ↑ ୨.୦ ୨.୧ "International Sporting Code" (PDF). FIA. 28 March 2007. Archived from the original (PDF) on 6 August 2009. Retrieved 30 August 2009.
- ↑ Barretto, Lawrence. "F1 2017 rule changes the biggest for 'decades'". Autosport.com. Retrieved 6 February 2018.
- ↑ "VIDEO: Analysing 2017's massive rises in G-Force". Formula1.com. Retrieved 2018-08-08.
- ↑ Tovey, Alan (1 November 2014). "Formula One's vast costs are driving small teams to ruin". The Telegraph.
- ↑ "The last of the non-championship races". forix.com. Archived from the original on 27 February 2007. Retrieved 17 November 2007.
- ↑ "Formula One unveils new logo". ESPN.
- ↑ Lawton, James (28 August 2007). "Moss can guide Hamilton through chicane of celebrity". The Independent. Newspaper Publishing.
- ↑ Henry, Alan (12 March 2007). "Hamilton's chance to hit the grid running". The Guardian. London. Retrieved 30 October 2007.
- ↑ "Decade seasons 1950–1959". Autocourse. Archived from the original on 7 August 2007. Retrieved 17 November 2007.
- ↑ Note: at the time the only two cars competitive with the new Formula were the pre-war Alfa Romeo 158/159 Alfetta and the new BRM Type 15, the latter having a poor reliability record when introduced causing it not to finish a number of the first Formula One races, forcing the Alfa to complete the races against the remainder of a field consisting of uncompetitive cars.
- ↑ Tuckey, Bill (28 January 1994). "Moss returns to scene of GP victory". The Age. Australia Company.
the all-conquering Mercedes-Benz cars... When the Germans withdrew from racing after the Le Mans 24-hour tragedy
- ↑ "A brief history of Formula One". ESPN UK. Archived from the original on 6 April 2015. Retrieved 21 September 2017.
- ↑ "Practice and qualifying". Formula One. Retrieved 21 October 2009.
- ↑ ୧୫.୦ ୧୫.୧ ୧୫.୨ "Driver changes and additional drivers". Formula One World Championship. 10 June 2011. Retrieved 10 June 2011.
- ↑ "2017 Grand Prix tyre compound selections". ESPN. ESPN Internet Ventures. Retrieved 21 September 2017.
- ↑ "Sporting regulations: Practice and qualifying". Formula1.com. Formula One World Championship. Retrieved 3 January 2016.
- ↑ "F1 race starting regulations". Formula One. Retrieved 16 October 2010.
- ↑ "Flags". Formula One. 21 ଜୁନ 2003. Archived from the original on 2 July 2008. Retrieved 3 July 2008.
- ↑ "New safety car driver announced". GPUpdate.net. 8 March 2000. Retrieved 30 January 2011.
- ↑ "Sporting regulations: Points". Formula1.com. Formula One World Championship. Retrieved 12 January 2015.
- ↑ "Sporting regulations: Classification". Formula1.com. Formula One World Championship. Retrieved 12 January 2015.
- ↑ "Monaco challenge remains unique – Formula 1". Motor Sport Magazine. 24 May 2011. Retrieved 12 October 2013.
- ↑ Saward, Joe (20 September 2010). "Jérôme d'Ambrosio and Virgin‽". Joe Saward's Grand Prix Blog. Retrieved 11 June 2011.
- ↑ "Klien signed as HRT Friday driver". Grandprix.com. 6 May 2010. Retrieved 10 June 2011.
- ↑ "APPENDIX L TO THE INTERNATIONAL SPORTING CODE" (PDF). Fédération Internationale de l'Automobile. 7 ଅପ୍ରେଲ 2011. Archived from the original (PDF) on 2 ଅକ୍ଟୋବର 2011. Retrieved 10 ଜୁନ 2011.
- ↑ "Five F1 champions who wouldn't have made their debuts". crash.net. Crash Media Group. 8 January 2015. Retrieved 12 October 2015.
- ↑ "Masters series officially wound up". Autosport. 29 November 2007. Retrieved 4 July 2008.
- ↑ Diepraam, Mattijs (21 November 2007). "Poachers turned gamekeepers: how the FOCA became the new FIA Part 1: Introduction and timeline". 8W. FORIX/Autosport.com. Retrieved 16 October 2010.
- ↑ "Schumacher makes history". BBC Sport. 21 July 2002. Retrieved 12 September 2006.
- ↑ This is not the same team as the 1954–94 nor 2010–11 iterations.
- ↑ "Mallya and Mol set for Spyker takeover". formula1.com. Formula One Administration Ltd. 3 September 2007. Retrieved 9 July 2010.
- ↑ Andrew Benson (28 July 2018). "Hungarian Grand Prix: Force India put into administration by High Court". BBC. Retrieved 28 July 2018.
- ↑ "McLaren is F1's biggest spender". F1i. 16 June 2006. Archived from the original on 9 February 2008. Retrieved 7 January 2007.
ଆହୁରି ପଢ଼ିପାରିବେ
[ସମ୍ପାଦନା]- Arron, Simon & Hughes, Mark (2003). The Complete Book of Formula One. Motorbooks International. ISBN 0-7603-1688-0.
- Gross, Nigel et al. (1999). "Grand Prix Motor Racing". In, 100 Years of Change: Speed and Power (pp. 55–84). Parragon.
- Hayhoe, David & Holland, David (2006). Grand Prix Data Book (4th edition). Haynes, Sparkford, UK. ISBN 1-84425-223-X.
- Higham, Peter (2003). The international motor racing guide. David Bull, Phoenix, AZ, USA. ISBN 1-893618-20-X.
- "Inside F1". Formula1.com. 2011. Retrieved 11 November 2011.
- Jones, Bruce (1997). The Ultimate Encyclopedia of Formula One. Hodder & Stoughton.
- Jones, Bruce (1998). Formula One: The Complete Stats and Records of Grand Prix Racing. Parragon.
- Jones, Bruce (2003). The Official ITV Sport Guide: Formula One Grand Prix 2003. Carlton. Includes foreword by Martin Brundle. ISBN 1-84222-813-7.
- Jones, Bruce (2005). The Guide to 2005 FIA Formula One World Championship: The World's Bestselling Grand Prix Guide. Carlton. ISBN 1-84442-508-8.
- Lang, Mike (1981–1992). Grand Prix! volumes 1–4. Haynes, Sparkford, UK.
- Menard, Pierre (2006). The Great Encyclopedia of Formula 1, 5th edition. Chronosport, Switzerland. ISBN 2-84707-051-6
- Miltner, Harry (2007). Race Travel Guide 2007. egoth: Vienna, Austria. ISBN 978-3-902480-34-7
- Small, Steve (2000). Grand Prix Who's Who (3rd edition). Travel Publishing, UK. ISBN 1-902007-46-8.
- Tremayne, David & Hughes, Mark (1999). The Concise Encyclopedia of Formula One. Parragon
- Twite, Mike. "Formula Regulations: Categories for International Racing" in Northey, Tom, ed. The World Of Automobiles, Volume 6, pp. 701–3. London: Phoebus, 1978.