ଦୟାନନ୍ଦ ସରସ୍ୱତୀ
ଦୟାନନ୍ଦ ସରସ୍ୱତୀ | |
---|---|
ଜନ୍ମ | ମୁଲ୍ ଶଙ୍କର ତିଓ୍ୱାରୀ କିମ୍ବା ମୂଳଶଙ୍କର କରଷଣ୍ଢସ ତିଓ୍ୱାରୀ / ବ୍ରହ୍ମଚାରୀ ଭାବେ ଶୁଦ୍ଧ ଚୈତନ୍ୟ ୧୨ ଫେବୃଆରୀ ୧୮୨୪ ଟଙ୍କରା, ଗୁଜରାଟ |
ମୃତ୍ୟୁ | ୩୦ ଅକ୍ଟୋବର ୧୮୮୩ ଆଜମେର, ରାଜସ୍ଥାନ | (ବୟସ ୫୯)
ଜାତୀୟତା | ଭାରତୀୟ |
ଉପାଧି/ ସମ୍ମାନ | Sindhi Marhu |
ସଂସ୍ଥାପକ | ଆର୍ଯ୍ୟ ସମାଜ |
ଗୁରୁ | ବିରଜାନନ୍ଦ ଦାଣ୍ଡି |
ଦର୍ଶନ | Traitvad vedic philosophy based on Samhita of four Vedas and its theory derived on Nighantu and Nirukta with six Darshanas supported by Paniniya Vyakaran. |
ବାଣୀ | "Om vishwani dev savitar duritani parasuv yad bhadram tanna aasuva." |
ଦୟାନନ୍ଦ ସରସ୍ୱତୀ (ଖ୍ରୀ.ଅ ୧୮୨୪ - ୧୮୮୩) [୧]ଥିଲେ ଜଣେ ଲେଖକ, ସମାଜ ସଂସ୍କାରକ ଓ ଆର୍ଯ୍ୟ ସମାଜର ସଂସ୍ଥାପକ । ଦୟାନନ୍ଦ ସଂସ୍କୃତ ଓ ହିନ୍ଦୀ ଭାଷାରେ ପ୍ରଭାବଶାଳୀ ବକ୍ତା ଭାବେ ପରିଚିତ । ସେ କହୁଥିଲେ ମୃତ ବ୍ୟକ୍ତିକୁ ଶ୍ରାଦ୍ଧ ତର୍ପଣ ନଦେଇ ଜୀବିତ ପିତାମାତା ଓ ବୃଦ୍ଧ ବ୍ୟକ୍ତିକୁ ସେବା କରିବା ହେଲା ପିତୃଯଜ୍ଞ । ଫଳିତ ଜ୍ୟୋତିଷ, ସାମୁଦ୍ରିକ ବିଦ୍ୟା, ହସ୍ତରେଖା ଆଦି ଅଯଥାର୍ଥ ଓ ଅନାବଶ୍ୟକ କାମ । ଲୈାକିକ ବ୍ୟବହାରରେ ସାଧୁତା, ଯଥାର୍ଥ କର୍ମସାଧନା, କର୍ତ୍ତବ୍ୟ ପ୍ରତି ନିଷ୍ଠା ବଳରେ ପ୍ରାଣୀ ଫଳପ୍ରାପ୍ତ ହୁଅନ୍ତି ପ୍ରତିମା ପୂଜାଦେଇ ନୁହେଁ । ତାଙ୍କର ଉପଲବ୍ଧ ସତ୍ୟକୁ ପ୍ରତିପାଦିତ କରିବାକୁ ଯାଇ ସେ ଅପୌତ୍ତଳିକତା ଓ ନିଚ୍ଛକ ବୈଦିକ ସତ୍ୟର ଆଲୋଚନା ପାଇଁ ଆର୍ଯ୍ୟ ସମାଜ ସ୍ଥାପନ କରିଥିଲେ । ଆର୍ଯ୍ୟ ସମାଜ ଜରିଆରେ ଶିକ୍ଷାର ପ୍ରସାର କରାଇ ନାରୀକୁ ପୁରୁଷ ସହ ସମାନ ଅଧିକାର ଦେବାର ଯୁକ୍ତି ସେ ଦର୍ଶାଇଥିଲେ ।
ଜୀବନୀ
[ସମ୍ପାଦନା]ଦୟାନନ୍ଦଙ୍କର ପିଲାଦିନର ନାମ ଥିଲା ମୂଳାଶଙ୍କର ଅମ୍ବାଶଙ୍କର । ସନ ୧୮୨୪ ମସିହାରେ ସୌରାଷ୍ଟ୍ର (କାଠିଆବାଡ)ର ମୋରଜୀ ନାମକ ଭୂତପୂର୍ବ ଦେଶୀୟ ରାଜ୍ୟର ଏକ ଗ୍ରାମରେ ଏକ ଧନୀ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ । ତାଙ୍କର ମାତାଙ୍କର ନାମ ଥିଲା ଅମୂବା ଅର୍ଥାତ ଅମୃତବେନ । ପିତାଙ୍କର ନାମ ଥିଲା କରଷନଜୀ (କର୍ଷନ ତିଓ୍ୱାରୀ)। ତାଙ୍କ ପରିବାରରେ ଭଗବାନ ଶଙ୍କରଙ୍କର ଆରାଧନା କରାଯାଏ । ଥରେ ଶିବରାତ୍ରି ଦିନ ମୂଳାଶଙ୍କର ଅମ୍ବାଶଙ୍କରଙ୍କର ବାପା ତାଙ୍କୁ (ପୁଅକୁ) ରାତି ଉଜାଗର ରହି ଧ୍ୟାନଧାରଣାପୂର୍ବକ ଶିବଦର୍ଶନ କରିବାରେ ଉପଦେଶ ଦେଲେ । ତରୁଣ ଅମ୍ବାଶଙ୍କରଙ୍କର ପିତୃବାକ୍ୟ ପ୍ରତି ଗଭୀର ବିଶ୍ୱାସ ରହିଥିଲା । ଶିବ ଭକ୍ତିରେ ଉପବାସ କରି ରାତ୍ରି ଉଜାଗର ରହି ସେ ଶିବ ମନ୍ଦିରରେ ଦୀପ ଜାଳି ବସିଲେ । ଶିବ ଆବିର୍ଭାବ ହେବେ ପରା ! ଅର୍ଦ୍ଧରାତ୍ରି । ଚାରିଆଡ଼େ ନିସ୍ତବ୍ଧ । ମୂଷାଟିଏ ଆସି ଶିବଲିଙ୍ଗ ଉପରେ ଚଢ଼ି ପ୍ରସାଦ ରୂପେ ଅର୍ପିତ ତଣ୍ଡୁଳାଦିକୁ ଭକ୍ଷଣ କରିବାକୁ ଲାଗିଲା । ଦେବତା ପ୍ରତିକ୍ରିୟାହୀନ । ଦେବତାଙ୍କ ଉପରେ ମୂଷିକର ଆକ୍ରମଣ ଅଥଚ ଦେବତା ନିଷ୍କ୍ରିୟ । ଏହି ପ୍ରତ୍ୟକ୍ଷ ଅନୁଭବ ମୂଳାଶଙ୍କରଙ୍କର ଜୀବନର ଗତିପଥରେ ପରିବର୍ତ୍ତନ ଆଣିଲା । ମୂର୍ତ୍ତିପୂଜା ପ୍ରତି ତାଙ୍କର ଅବିଶ୍ୱାସ ଜାତ ହେଲା । ତାଙ୍କ ପରିବାରରେ ଦୁଇଭାଇ ଓ ଜଣେ ଭଉଣୀର ମୃତ୍ୟୁ ଘଟିଲା । ଏହା ତରୁଣ ମୂଳାଶଙ୍କରଙ୍କ ପ୍ରାଣକୁ ଦୋହଲାଇ ଦେଇଥିଲା । ଇଶ୍ୱରତା ଲାଭ ଉଦ୍ଦେଶ୍ୟରେ ମୂଳାଶଙ୍କର ମାତ୍ର ୧୫ ବର୍ଷ ବୟସରେ ଗୃହତ୍ୟାଗ ପୂର୍ବକ ମଥୁରା ଚାଲିଗଲେ । ସେଠାରେ ସେ ବିରଜାନନ୍ଦ ସରସ୍ୱତୀଙ୍କୁ ଗୁରୁ କରି ତାଙ୍କର ତତ୍ତ୍ୱାବଧାନରେ ସକଳ ବେଦ ଅଧ୍ୟୟନ କଲେ । ସନ୍ନ୍ୟାସ ଦୀକ୍ଷା ଗ୍ରହଣ କ୍ରମେ ତାଙ୍କର ନୂତନ ନାମ ହେଲା ଦୟାନନ୍ଦ । ବେଦାଧ୍ୟୟନ ଓ ତାହାର ଗୂଢ଼ ନିହିତାର୍ଥ ବ୍ୟାଖ୍ୟାରୁ ତାଙ୍କର ଗଭୀର ଜ୍ଞାନର ପରିଚୟ ମିଳିଥିଲା । ସେ ବହୁ ପ୍ରତିବାଦୀ ପଣ୍ଡିତମାନଙ୍କ ସହ ତର୍କ ଆଲୋଚନା କରି ବିଜୟୀ ହୋଇଥିଲୋ ତାଙ୍କୁ ସରସ୍ୱତୀ ଉପାଧି ପ୍ରଦାନ କରାଯାଇଥିଲା । ସନ୍ନ୍ୟାସୀ ଦୟାନନ୍ଦଙ୍କୁ ସ୍ୱାମୀଜୀ ଆଖ୍ୟା ପ୍ରଦାନ କରାଗଲା । ସନ୍ନ୍ୟାସୀ ଦୟାନନ୍ଦ ଏହାପରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ନାମରେ ସର୍ବ ପରିଚିତ ହେଲେ । [୨]
ବୈଦିକ ଜ୍ଞାନର ସରଳ ତତ୍ତ୍ୱ ପାଇଁ ସତ୍ୟାର୍ଥ ପ୍ରକାଶ (୧୮୭୫) ନାମକ ତାତ୍ତ୍ୱିକ ପୁସ୍ତକ ରଚନା କରିଥିଲେ । ଦୟାନନ୍ଦ ପିତୁଳା ପୂଜାର ଅସାରତା ଓ ପୁରୋହିତ ମାଧ୍ୟମରେ ପୂଜାର୍ଚ୍ଚନାର ପ୍ରତିବାଦ ଜଣାଇ ପ୍ରଥମ ଅବସ୍ଥାରେ ମୌଳବାଦୀମାନଙ୍କର ଅପ୍ରିୟଭାଜନ ହେଇଥିଲେ ।
ରଚନାବଳୀ
[ସମ୍ପାଦନା]ଦୟାନନ୍ଦଙ୍କ ରଚନାବଳୀ (ମୋଟ ୩୨ ଖଣ୍ଡ ଯାହା ମିଳୁଅଛି) ମଧ୍ୟରୁ ୧୮୭୫ରେ ପ୍ରକାଶିତ "ସତ୍ୟାର୍ଥ ପ୍ରକାଶ' ଦୁଇ ଭାଗରେ ବିଭକ୍ତ । ପ୍ରଥମ ଅର୍ଦ୍ଧରେ ରହିଛି- ସନ୍ତାନର ଶିକ୍ଷା, ଜୀବନର ଚାରି ଆଶ୍ରମ, ଯଥା- ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ, ସନ୍ନ୍ୟାସାଶ୍ରମ ସହ ରାଜଧର୍ମ, ଜଗତର ସୃଷ୍ଟିସ୍ଥିତ ବିଲୟ, ବିଦ୍ୟା-ଅବିଦ୍ୟା, ବନ୍ଧନ-ମୋକ୍ଷ, ଆଚାର- ଅନାଚାର, ଭକ୍ଷ୍ୟ-ଅଭକ୍ଷ୍ୟ ଆଦିର ଆଲୋଚନା ଓ ଦ୍ୱିତୀୟ ଭାଗରେ ରହିଛି କେତେଜଣ ଦାନିକଙ୍କର ମତ-ମତାନ୍ତର, ବୈାଦ୍ଧ-ଜୈନ-ଖ୍ରୀଷ୍ଟ-ଇସଲାମ ଧର୍ମାଦିର ଆଲୋଚନା ।
ଦୟାନନ୍ଦଙ୍କଦ୍ୱାରା ରଚିତ ଅନ୍ୟାନ୍ୟ କେତେଗୋଟି ପୁସ୍ତକ ହେଲା-
- ସନ୍ଧ୍ୟା (୧୮୬୩)
- ଭାଗବତ ଖଣ୍ଡନ (୧୮୬୬)
- ପଞ୍ଚମହାଯଜ୍ଞ ବିଧି (୧୮୭୪)
- ବେଦାନ୍ତଧ୍ୱାନ୍ତି ନିବାରଣ (୧୮୭୬)
- ଆର୍ଯ୍ୟାଭିବିନୟ (୧୮୭୫)
- ବେଦଭାଷ୍ୟ (୧୮୭୬)
- ସଂସ୍କାରବିଧି (୧୮୭୭)
- ଗୋ-କରୁଣାନିଧି (୧୮୮୦)
- ସତ୍ୟ-ଧର୍ମ-ବିଚାର (୧୮୮୦)
- ଭ୍ରାନ୍ତି ନିବାରଣ (୧୮୭୭)
- ଭ୍ରମୋଚ୍ଛେଦନ (୧୮୮୨)
- ଋଗ ବେଦ ଭାଷ୍ୟ (ଅସଂପୂର୍ଣ୍ଣ)
ଦୟାନନ୍ଦଙ୍କ ଜୀବନର କେତେକ ଘଟଣା
[ସମ୍ପାଦନା]ବାଲ୍ୟ ବିବାହ ପ୍ରଥା ଉଛେଦରେ ଯୋଗଦାନ
[ସମ୍ପାଦନା]ସେତେବେଳେ ବାଲ୍ୟବିବାହ ପ୍ରଚଳିତ ଥିଲା । ଦୟାନନ୍ଦ ଏହାର ବିରୋଧ କଲେ । ପରିପକ୍ୱ ବୟସରେ ଦାୟିତ୍ୱ ଜ୍ଞାନ ଆସିବା ପରେ ବିବାହ କଲେ ସ୍ତ୍ରୀ ପୁରୁଷ ସମର୍ଥବନ୍ତ ହୁଅନ୍ତି ଓ ବିବାହ ସଫଳ ହୁଏ ବୋଲି କହି ସେ ଘୋର ସାମାଜିକ ବିରୋଧର ସମ୍ମୁଖୀନ ହେଲେ । ପରବର୍ତ୍ତୀ କାଳରେ ତାଙ୍କ ଯୁକ୍ତିର ସାରବତ୍ତାକୁ ଶିକ୍ଷିତ ଲୋକେ ଗ୍ରହଣ କରିନେଲେ ଓ ସେ ସଫଳକାମ ହୋଇପାରିଲେ । ଏଥିସହିତ ସେ ବିଧବା ବିବାହର ସପକ୍ଷରେ ଯୁକ୍ତି କରି ଓ ଅନେକ କ୍ଷେତ୍ରରେ ବିଧବା ବିବାହ କରାଇ ବହୁ ତର୍କର ସମ୍ମୁଖୀନ ହେଇଥିଲେ । ଦୟାନନ୍ଦ ସରସ୍ୱତୀଙ୍କ ଆର୍ଯ୍ୟ ସମାଜ ଭଳି ଅନ୍ୟ ଏକ ସଂସ୍ଥା ବ୍ରାହ୍ମ ସମାଜ ମଧ୍ୟ ହିନ୍ଦୁଧର୍ମୀ ପୌତ୍ତଳିକତା ଓ ଜାତିପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିଥାଏ । ଏହି ବ୍ରାହ୍ମ ସମାଜର ପୃଷ୍ଠପୋଷକ ଥିଲେ କେଶବଚନ୍ଦ୍ର ସେନ, ରାଜା ରାମମୋହନ ରାୟ, ଦେବେନ୍ଦ୍ରନାଥ ଠାକୁର ଓ ତାଙ୍କର ପୁତ୍ର ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଆଦି । ତେବେ ଆର୍ଯ୍ୟ ସମାଜ ଓ ବ୍ରାହ୍ମ ସମାଜ ପରସ୍ପର ପ୍ରତି ସମ୍ବେଦନଶୀଳ ସମକାଳୀନ ଦୁଇଗୋଟି ସମାଜ ସୁଧାରକ ସଂସ୍ଥା ଯାହାକି ଅଦ୍ୟାବଧି ଆପଣା ଲକ୍ଷ୍ୟ ସାଧନରେ ବ୍ରତୀ ଅଟନ୍ତି ।
ଡିଏଭି ସ୍କୁଲ ସ୍ଥାପନ
[ସମ୍ପାଦନା]ବୈଜ୍ଞାନିକ ଦୃଷ୍ଟିକୋଣରୁ ଦୟାନନ୍ଦଙ୍କର ମତ ଓ ପଥ ଅତି ପ୍ରାସଙ୍ଗିକ ଓ ଯୁକ୍ତି ସମ୍ମତ । ବାସ୍ତବ ଜୀବନରେ ଏହାର ପ୍ରୟୋଗରେ ସଫଳତା ଉପଲବ୍ଧ ହେଉଥିବା ଦୃଷ୍ଟିରୁ ଦୟାନନ୍ଦ ସରସ୍ୱତୀ ଅତ୍ୟନ୍ତ ଲୋକପ୍ରିୟତା ଅର୍ଜନ କରିପାରିଥିଲେ । ଫଳତଃ ଶିକ୍ଷିତ ଗୋଷ୍ଠୀରେ ଆର୍ଯ୍ୟ ସମାଜ ବେଶ୍ ସୁଦୃଢ଼ ଆସନ ପାତି ପାରିଥିଲା ଓ ପାରିଅଛି ମଧ୍ୟ । ଦୟାନନ୍ଦଙ୍କର ଜୀବିତାବସ୍ଥାରେ ଦିଲ୍ଲୀ, ବନାରସ ଅଜମୀର, ଜୟପୁର ଆଦି ସ୍ଥାନମାନଙ୍କରେ ଡି.ଏ.ଭି ସ୍କୁଲ କଲେଜମାନ ସ୍ଥାପିତ ହୋଇପାରିଥିଲା I
ସତ୍ୟ ଅନୁସନ୍ଧାନରେ
[ସମ୍ପାଦନା]ଥରେ ପର୍ଯ୍ୟଟନ କ୍ରମରେ ଦୟାନନ୍ଦ "ଓଖା' ମଠର ମହନ୍ତଙ୍କ ସଂପର୍କରେ ଆସିଲୋ ମହନ୍ତ ଦେଖିଲେ ଦୟାନନ୍ଦ ଜଣେ କର୍ମଠ-ବୁଦ୍ଧିମାନ-ସୁପଣ୍ଡିତ ଯୁବକା ତେଣୁ ସେ ଦୟାନନ୍ଦଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ସମସ୍ତ ସଂପତ୍ତି ଲାଭର ପ୍ରଲୋଭନ ଦେଖାଇଲେ । ଉତ୍ତରରେ ସ୍ୱାମୀଜୀ ମହନ୍ତଙ୍କୁ ନାସ୍ତିବାଣୀ ଶୁଣାଇଲେ । ଯଦି ଧନପ୍ରତି ତାଙ୍କର ଲୋଭ ଥାଆନ୍ତା, ତେବେ ସେ ନିଜର ପୈତୃକ ସଂପତ୍ତି ଓ ଦେବାୟତନକୁ ଛାଡ଼ି ଆସିଥାନ୍ତେ କାହିଁକି ? ସ୍ୱାମୀଜୀଙ୍କର ଲକ୍ଷ୍ୟ ଥିଲା ସତ୍ୟର ଅନୁସନ୍ଧାନା ଦେଶଓ ଜାତିକୁ ମୂଢ଼ତାରୁ ମୁକ୍ତ କରିବାା ଲୋକଙ୍କୁ ବିଦ୍ୟା କ'ଣ ବୁଝାଇ ଅବିଦ୍ୟା-ଅନ୍ଧକାରକୁ ଦୂରେଇ ଦେବା ।
ଜଣେ ବିପ୍ଲବୀ ସନ୍ୟାସୀ ଭାବେ
[ସମ୍ପାଦନା]ଜାନୁଆରୀ ୧୮୭୩ରେ କଲିକତାର ଆର୍ଚ ବିଶପ (ଚର୍ଚ୍ଚର ମୁଖ୍ୟ ପୁରୋହିତ)ଙ୍କ ଅନୁରୋଧକ୍ରମେ ତତ୍କାଳୀନ ବଡ଼ଲାଟ ନର୍ଥବ୍ରୁକଙ୍କ ସହ ଦୟାନନ୍ଦଙ୍କର ସାକ୍ଷାତ ଆଲୋଚନା ହୋଇଥିଲା । ଏଥିପୂର୍ବରୁ ବଡ଼ଲାଟଙ୍କୁ ସୂଚନା ଦିଆଯାଇଥିଲା କି ସ୍ୱାମୀ ଦୟାନନ୍ଦ ହେଲେ ଜଣେ ସଂସ୍କୃତିସଂପନ୍ନ ବେଦପଣ୍ଡିତ ତଥା ସଂସ୍କାରକ । ସାକ୍ଷାତକାରରେ ବଡ଼ଲାଟ ସ୍ୱାମୀଜୀଙ୍କର ପ୍ରଶଂସାପୂର୍ବକ ଇଂଲଣ୍ଡର ରାଣୀ ଓ ଇଂରେଜ ସରକାରଙ୍କର ବିଜୟ ପାଇଁ ପ୍ରାର୍ଥନା କରିବାକୁ କହିବାରୁ ଦୟାନନ୍ଦ ସରସ୍ୱତୀ ତତକ୍ଷଣାତ ଉତ୍ତର ଦେଇଥିଲେ,...ବର୍ତ୍ତମାନ ନୁହେ । ବର୍ତ୍ତମାନର ପ୍ରାର୍ଥନା ହେଲା ଭାରତବର୍ଷ ବିଦେଶୀ ଶାସନରୁ ମୁକ୍ତିଲାଭ କରୁ । ବଡ଼ଲାଟ ସ୍ୱାମୀଜୀଙ୍କର ନିର୍ଭୀକ ବଚନରେ ସ୍ତବ୍ଧ ହେଲ । ଲଣ୍ଡନରେ ଥିବା ଭାରତ ସଚିବଙ୍କ ନିକଟକୁ ଚିଠି ଦେଲେ- ସ୍ୱାମୀ ଦୟାନନ୍ଦ ଜଣେ ବିପ୍ଲବୀ ସନ୍ନ୍ୟାସୀ । ତାଙ୍କ ରାଜନୀତିକ ବିଚାର ଇଂରେଜ ଶାସନର ପରିପନ୍ଥୀ ।
ଆର୍ଯ୍ୟସମାଜ ପ୍ରତିଷ୍ଠା
[ସମ୍ପାଦନା]ସନ ୧୮୭୫, ଅପ୍ରେଲ ୦୭ ତାରିଖା ବମ୍ବେ (ବର୍ତ୍ତମାନର ମୁମ୍ବାଇ) ନଗରର ଗିରିଗାଁଓ ଅଞ୍ଚଳର ଡକଫର ମାଣିକଚାନ୍ଦଙ୍କ ବଗିଚାରେ ସ୍ୱାମୀଜୀ "ଆର୍ଯ୍ୟସମାଜ' ପ୍ରତିଷ୍ଠା କଲେ । ବେଦମନ୍ତ୍ର ପଠନ କରାଗଲା । ଆର୍ଯ୍ୟ ସମାଜର ଦୃଷ୍ଟିଭଙ୍ଗୀ ବିଜ୍ଞାନ ସମ୍ମତ ଓ ପ୍ରଗତିଧର୍ମୀ । ମୂର୍ତ୍ତିପୂଜନ ଓ ଅବତାରବାଦକୁ ଏଡ଼ାଇ ଏକେଶ୍ୱର ଉପାସନା ପାଇଁ ଆହ୍ୱାନ କରାଗଲା । ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗ ନିର୍ବିଶେଷରେ ସମସ୍ତେ ବେଦପାଠ କରିପାରିବେ । ସ୍ତ୍ରୀ ବା ଶୁଦ୍ରଙ୍କ ପାଇଁ କୌଣସି ବାରଣ ନାହି । ସମସ୍ତେ ପ୍ରଭୁଙ୍କର ସନ୍ତାନ । ବେଦପାଠ ଓ ଯୋଗ ସାଧନରେ ସମସ୍ତଙ୍କର ଅଧିକାର ଅଛି । ମନୁଷ୍ୟର ଜାତି (ବର୍ଣ୍ଣ) ଜନ୍ମରୁ ହୁଏ ନାହିଁ । ତାହା ଗୁଣ-କର୍ମ ସ୍ୱଭାବରୁ ନିର୍ଣ୍ଣିତ ହୁଏ । ସେଠାରେ ଗୁରୁକୁଳ, ଅନାଥାଶ୍ରମ, ଯୋଗାଶ୍ରମ, ବାନପ୍ରସ୍ଥାଶ୍ରମ ଆଦି ଜନକଲ୍ୟାଣକର ସଂସ୍ଥା ସ୍ଥାପନର ସଂକଳ୍ପ ନିଆଗଲା । ପ୍ରକାଶ ଥାଉକି ବମ୍ବେ ଆର୍ଯ୍ୟ ସମାଜର ପ୍ରଥମ ସଭାପତି ଥିଲେ ଶ୍ରୀ ଗିରିଧରଲାଲ କୋଠାରୀ । [୩][୪]
ସଂସ୍କାର ମୂଳକ ୧୧ଟି ଭାଷଣ ଓ ଗୋ-ଶାଳା ପ୍ରତିଷ୍ଠା
[ସମ୍ପାଦନା]ସନ ୧୮୭୮, ଡିସେମ୍ବର ୨୪ରେ ସ୍ୱାମୀଜୀ ପହଞ୍ଚିଲେ ରାଜସ୍ଥାନର ରେବାଡ଼ିଠାର । ତା' ପୂର୍ବରୁ ସେ ଦିଲ୍ଲୀ, ଆଜମୀର, ପୁଷ୍କର ଓ ମସୂଦାଠାରେ ଭାଷଣ ଦେଇସାରିଥିଲୋ ଏବେ ରେବାଡ଼ିରେ ସେ ସଂସ୍କାରମୂଳକ କାର୍ଯ୍ୟନେଇ ୧୧ଟି ଭାଷଣ ଦେଲ । ମୂର୍ତ୍ତି ପୂଜାର ଅସାରତା, ମୃତକ ଶ୍ରାଦ୍ଧ ଏବଂ ବାଲ୍ୟବିବାହର କୁଫଳ ସଂବନ୍ଧରେ ସେ ଗୁରୁତ୍ୱପୂର୍ଣ୍ଣ କଥାମାନ କହିଥିଲୋ ତାଙ୍କ ପ୍ରେରଣାରେ ରେବାଡ଼ିରେ ଗୋ-ସଦନ ପ୍ରତିଷ୍ଠିତ ହେଲା ଏହା ଆଧୁନିକ ଭାରତବର୍ଷର ପ୍ରଥମ ଗୋ-ଶାଳା । ସ୍ୱାମୀଜୀ ରାଜା ଜୟକୃଷ୍ଣ ଦାସଙ୍କ ଅତିଥି ହୋଇ ତାଙ୍କ ରାଜ ପ୍ରାସାଦରେ ଅବସ୍ଥାନ କରୁଥିଲୋ ପରବର୍ତ୍ତୀ କାଳରେ ସେହି ରାଜାଙ୍କ ଅନୁରୋଧକ୍ରମେ ସେ ସତ୍ୟାର୍ଥ ପ୍ରକାଶ ଲେଖିଥିଲେ।
ବିଦେଶୀ ବର୍ଜନ
[ସମ୍ପାଦନା]ଥରେ ଜଣେ ପଣ୍ଡିତ ସ୍ୱାମୀଜୀଙ୍କ ପାଖକୁ ଆସି ତାଙ୍କ ନିମନ୍ତେ ସବୁଠାରୁ ଉଚ୍ଚ ଆସନର ବ୍ୟବସ୍ଥା ପାଇଁ ଅନୁରୋଧ କଲୋ ସେଠାରେ ଉପସ୍ଥିତ ଥିବା ଲୋକେ ପଣ୍ଡିତଙ୍କର ଅନ୍ୟାୟ ଅନୁରୋଧକୁ ପସନ୍ଦ କରୁନଥିଲେ । ସେତେବେଳେ ସ୍ୱାମୀଜୀ ବିନୋଦପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ- ଗଛରେ ବସିଥିବା କାଉ ସମସ୍ତଙ୍କଠାରୁ ଉଚ୍ଚ ଆସନରେ ବସିଛି । ଏବେ ପଣ୍ଡିତକୁ ବୁଝାପଡ଼ିଲା ତାଙ୍କ ପ୍ରଶ୍ନର ଉତ୍ତରଟି । ଶ୍ରୋତାଗଣ ମଧ୍ୟ ମନ୍ତବ୍ୟର ତାତ୍ପର୍ଯ୍ୟ ବୁଝିଲେ । ସେହି ଗହଣରେ ଥିଲେ ଉଧୋସିଂହ ନାମକ ଧନାଢ଼୍ୟ ବ୍ୟକ୍ତି । ବେଶ ମୂଲ୍ୟବାନ ବିଦେଶୀ ପୋଷାକ ପରିଧାନ କରି ଆସିଥିଲେ ସ୍ୱାମୀଜୀଙ୍କର ଦର୍ଶନ ଲାଭ ପାଇ । ତାଙ୍କ ପ୍ରତି ସ୍ୱାମୀ ଦୟାନନ୍ଦ କହିଥିଲେ- ଆପଣ ଏପରି ପୋଷାକ ପିନ୍ଧିଲେ ଆମ ଦେଶର କାରିଗରମାନଙ୍କର ଜୀବିକା ବୁଡ଼ିଯିବ । ପ୍ରକାଶ ଥାଉ କି, ଏହା ଥିଲା ଜାତୀୟ କଂଗ୍ରେସର ସ୍ୱଦେଶୀ ଦ୍ରବ୍ୟ ଆଦର ଓ ବିଦେଶୀ ଦ୍ରବ୍ୟ ବର୍ଜନ ଆନ୍ଦୋଳନର ପାଖାପାଖି ଷାଠିଏ ବର୍ଷର ପୂର୍ବବର୍ତ୍ତୀ ଘଟଣା । ଏଥିରୁ ସ୍ୱାମୀ ଦୟାନନ୍ଦଙ୍କର ସ୍ୱଦେଶପ୍ରୀତି ଆକଳନ କରାଯାଇପାରେ ।
ଦେହାନ୍ତ
[ସମ୍ପାଦନା]୧୮୫୭-୧୮୬୦ ଖ୍ରୀ.ଅ ପର୍ଯ୍ୟନ୍ତ ତିନିବର୍ଷ ଦୟାନନ୍ଦ ଅଜ୍ଞାତବାସରେ ଥିଲେ । ତାହା ଥିଲା ସିପାହୀ ବିଦ୍ରୋହର କାଳ । ଐତିହାସିକ ପୃଥ୍ୱୀସିଂହଙ୍କ ମତରେ ସ୍ୱାମୀଜୀ ଥିଲେ ୧୮୫୭, ସିପାହୀ ବିଦ୍ରୋହରେ ପରୋକ୍ଷ ଭାବରେ ନାନା ସାହେବ, ଆଜିମୁଲ୍ଲା ଖାଁ, କୁମ୍ବର ସିଂହ, ରାଣୀ ଲକ୍ଷ୍ମୀବାଈ ଆଦି ନେତୃବୃନ୍ଦଙ୍କର ପରାମର୍ଶଦାତା ତଥା ପଥପ୍ରଦର୍ଶକ । ଏହିପରି "ଆର୍ଯ୍ୟସମାଜ'ର ପରିକଳ୍ପିତ ଉନ୍ନତି ରୂପରେଖର ପ୍ରଚାର- ପ୍ରସାର କାର୍ଯ୍ୟ କରୁ କରୁ ଦୟାନନ୍ଦ ସରସ୍ୱତୀ ରାଜସ୍ଥାନର ଯୋଧପୁରରେ ପହଞ୍ଚିଲେ । ସ୍ୱାମୀଜୀଙ୍କର ବ୍ରହ୍ମଚର୍ଯ୍ୟ ତଥା ସଦାଚାରମୂଳକ ଉପଦେଶ ତତ୍କାଳୀନ ରାଜାଙ୍କୁ କିମ୍ବା ତାଙ୍କର ପରିଚାରକମାନଙ୍କୁ ଭଲ ଲାଗୁ ନଥିଲା । ଫଳତଃ ଏହାଥିଲା ୧୮୮୩, ସେପ୍ଟେମ୍ବର ମାସ, ଶେଷ ସପ୍ତାହରେ ଷଡ଼ଯନ୍ତ୍ରକ୍ରମେ ସ୍ୱାମୀଜୀଙ୍କ ପାଚକ ଜଗନ୍ନାଥକୁ ଉତ୍କୋଚ ଦେଇ ସ୍ୱାମୀଜୀ ପାନ କରୁଥିବା ଦୁଗ୍ଧରେ ବିଷାକ୍ତ କାଚଗୁଣ୍ଡ ମିଶାଇ ଦିଆଗଲା । ବିଷ ଦେଇଥିବା ପାଚକକୁ ସ୍ୱାମୀଜୀ କ୍ଷମା କରିଥିଲେ ନିଜର ଉଦାର ଗୁଣରେ । ବିଷ ମଶ୍ରିତ କ୍ଷୀର ପାନ କରିଥିବା ଯୋଗୁଁ ସେ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ, ପ୍ରାୟ ମାସକ ପରେ ୩୦ ଅକ୍ଟୋବର ୧୮୮୩ରେ ତାଙ୍କର ମୃତ୍ୟୁ ହେଇଥିଲା । [୫]
ଆଧାର
[ସମ୍ପାଦନା]- ↑ http://www.iloveindia.com/indian-heroes/dayanand-saraswati.html
- ↑ ମହାପାତ୍ର, ନିର୍ମଳା କୁମାରୀ. "ସଂସ୍କାରକ ସ୍ୱାମୀ ଦୟାନନ୍ଦ ସରସ୍ୱତୀ". ଉତ୍କଳ ପ୍ରସଙ୍ଗ. ଫେବୃଆରୀ - ମାର୍ଚ୍ଚ: ୭୭, ୭୮, ୭୯, ୮୦. Retrieved 3 June 2015.
- ↑ http://www.dayananda.org/
- ↑ http://www.iloveindia.com/indian-heroes/dayanand-saraswati.html
- ↑ http://www.culturalindia.net/reformers/swami-dayanand-saraswati.html